କେନ୍ଦୁଝର ରେ ଅଦ୍ଭୂତପୂର୍ବ ଉତ୍ସାହ ଓ ଉଦ୍ଦିପନାର ସହ ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ ଦେଖିଲେ ଜନସାଧାରଣ
କେନ୍ଦୁଝର : ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନାର ବାତାବରଣ ଭିତରେ କେନ୍ଦୁଝର ଜିଲ୍ଲାର ଜନସାଧାରଣ ଦେଖିଲେ ଏଫ୍.ଆଇ. ଏଫ୍. ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ । ଜାନୁଆରୀ ୧୧ ତାରିଖ ବୁଧବାର ଦିନ ଆବାଳ ବୃଦ୍ଧବନିତାଙ୍କ ମନରେ ଉତ୍କଣ୍ଠା ଥିଲା ହକି ବିଶ୍ୱକପ୍ ର ଉଦ୍ଘାଟନ ସମାରୋହ ଦେଖିବାକୁ । ସମୟ ଯେତିକି ପାଖେଇ ଆସୁଥିଲା ଉଦ୍ବିଗ୍ନତା ସେତିକି ବଢୁଥିଲା । ଓଡିଶା ଯେତେବେଳେ ଲଗାତାର ଦୁଇଥର ଏଫ୍.ଆଇ.ଏଫ୍. ପୁରୁଷ ବିଶ୍ୱକପ୍ ହକିର ଆୟୋଜନ କରି ଏକ ସ୍ୱର୍ଣ୍ଣିମ ଇତିହାସ ଲେଖିଥିବାବେଳେ ସେହି ଉଦ୍ଘାଟନୀ ସମାରୋହର ସେହି ମଧୁର ମୂହୁର୍ତକୁ ଉପଭୋଗ କରିବାକୁ ଜନସାଧାରଣଙ୍କ ମନରେ ଅକଳ୍ପନୀୟ ଉତ୍କଣ୍ଠା ବଢୁଥିଲା । ଶୀତୁଆ ନଇଁ ଆସିଲା । ସନ୍ଧ୍ୟା ୬ ଘଟିବା ସମୟରେ ପ୍ରତିକ୍ଷାର ଅନ୍ତ ଘଟିଲା ଏବଂ ବଡବଡ ଏଲ୍.ଇ.ଡି. ସ୍କ୍ରିନ୍ ଓ ପ୍ରୋଜେକ୍ଟର ମାଧ୍ୟମରେ ଜିଲ୍ଲାବାସୀ ଉଦ୍ଘାଟନୀ ସମାରୋହକୁ ମନୋଭରି ଉପଯୋଗ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଦର ମହକୁମା, ପୌରପାଳିକା ତଥା ଗ୍ରାମ ପଂଚାୟତସ୍ତରରେ ଉଦ୍ଘାଟନୀ ସମାରୋହର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା । ଏତଦ୍ବ୍ୟତୀତ ଜିଲ୍ଲାର ସମସ୍ତ, ବିଦ୍ୟାଳୟ, ହଷ୍ଟେଲ୍, ଏସ୍.ଏସ୍.ଡି. ବିଭାଗ ପରିଚାଳିତ ସ୍କୁଲ୍ ଛାତ୍ରାବାସ/ଛାତ୍ରୀନିବାସ ତଥା ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନମାନଙ୍କରେ ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ସଦର ମହକୁମାରେ ଦୁଇଟି ସ୍ଥାନରେ ଯଥା ପ୍ରେମଲତିକା କଳା ଭବନ ସମ୍ମୁଖ ପଡିଆ ଏବଂ ପୁରୁଣା ବଜାର ହାଟପଡିଆ ପାର୍କ ଠାରେ ସିଧା ପ୍ରସାରଣ ଦେଖିବା ପାଇଁ ହଜାର ହଜାର ଦର୍ଶକ ସମବେତ ହୋଇଥିଲେ । ପ୍ରେମଲତିକା କଳା ଭବନ ସମ୍ମୁଖ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ, ଏସ୍.ପି. ମିତ୍ରଭାନୁ ମହାପାତ୍ର, ଡି.ଏଫ୍.ଓ. ଧନରାଜ ଏଚ୍.ଡି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ପିଏ ଆଇଟିଡିଏ କେନ୍ଦୁଝର ତପନ କୁମାର ନାଏକ, ବିଡିଓ କେନ୍ଦୁଝର ବିକାଶ ଚନ୍ଦ୍ର ସାହୁ, କେନ୍ଦୁଝର ତହସିଲଦାର ଆଶିଷ ମହାପାତ୍ର, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଡାଃ ମଧସ୍ମିତା ସାମନ୍ତରାୟ ଏବଂ ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ କେନ୍ଦୁଝର ସଂଜୀବ ବାରିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ / କର୍ମଚାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, କ୍ରୀଡାବିତ୍, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତା ତଥା ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହର ସିଧାପ୍ରସାରଣ ଦେଖିଥିଲେ । ଏହି ଅବସରରେ ପ୍ରତୀକାତ୍ମକ ଭାବେ ମିନି ହକି ଷ୍ଟାଡିୟମ, ସେଲ୍ଫି ଜୋନ୍, ଫ୍ୟାନ୍ ପାର୍କ ପ୍ରସ୍ତୁତ କରାଯାଇଥିବାବେଳେ ମିନି ମେଳା, ଖାଦ୍ରମେଳାର ଆୟୋଜନ କରାଯାଇଥିଲା ।
