ଦୁଷ୍କର୍ମ ଉଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା, ୮ ଦିନ ପରେ ମୃତଦେହ ଉଦ୍ଧାର
ବାରିପଦା : ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା । ଯାହାକି ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଂଚଳରେ । ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ (୨୨) । ଗୁଞ୍ଜୁସାହି ଅଂଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ତେବେ ଶନିବାର ଦିନ ସଦର ଥାନାରେ ୭ଦିନ ପୂର୍ବରୁ ନିହତ ଜଣକ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଚିହ୍ନଟ ପୂର୍ବକ ପୁଲିସ ତଦନ୍ତ କରି ମୃତଦେହ ପରିଚୟ ପାଇଥିଲା । ୧୫ ତାରିଖ ଦିନ ମକରପର୍ବ ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ । ମଙ୍ଗଲଙ୍କ ମା’ ମାଉସି ମୁର୍ମୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ପ୍ରାଥମିକ ତଦନ୍ତରୁ ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ମହିଳା ଜଣକ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ହସ୍ପିଟାଲକୁ ପଠାଇଛି । ଏଥି ସହିତ ଉକ୍ତ ଘଟଣାରେ ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ରହିଥିବା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି । ତେବେ ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବାରେ ସହଯୋଗ କରିଥିବା ଅଭିଯୁକଙ୍କ ନାମରେ ମଧ୍ୟ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।
