ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର
ବାରିପଦା : ଶିମିଳିପାଳ ଅଭୟାରଣ୍ୟ ଉତର ଖଣ୍ଡ ଅଧିନ ତାଳବନ୍ଧ ରେଞ୍ଜ୍ ରୁ ଆଜି ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତ ହାତୀର ଦାନ୍ତ ଗାୟବ୍ ଥିବା ଦେଖିବାକୁ ମିଳିଛି । ହାତୀଟି ୧୦ରୁ ୧୫ ଦିନ ହେବ ମରିଥିବା ଅନୁମାନ କରାଯାଉଛି । ହାତୀଟିକୁ କେହି ଗୁଳି କରି ହତ୍ୟା କରିବା ପରେ ତାର ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଂଚି ତଦନ୍ତ ଚଳାଇଛନ୍ତି । ପ୍ରକାଶ ଥାଉକି, ଗତ ପ୍ରାୟ ଦେଢ଼ ମାସ ପୂର୍ବେ ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ୍ ରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ହାତୀର ଦାନ୍ତ ଗାୟବ୍ ଥିଲା । ଏପରିକି ଘଟଣାକୁ ଲୁଚାଇବା ପାଇଁ ବନ କର୍ମଚାରୀ ହାତୀକୁ ପୋଡ଼ି ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଫରେଷ୍ଟରଙ୍କ ସମେତ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
