ବାଲେଶ୍ୱର : ପୋଖରୀରେ ବୁଡ଼ି ବୃଦ୍ଧା ମୃତ
ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଉଳା ପଞ୍ଚାୟତର ବିରିପାଲିଆ ଗ୍ରାମର ଏକ ଅଘଟଣ ଘଟିଯାଇଛି । ଗ୍ରାମର ସ୍ୱର୍ଗତ ଲକ୍ଷ୍ମୀଧର ଦାସଙ୍କ ପତ୍ନୀ ପଙ୍କଜିନି (୬୮) ପୋଖରୀରେ ବୁଡିଯାଇ ମୃତ୍ୟବରଣ କରିଛନ୍ତି । ଏନେଇ ବାଲିଆପାଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସୂଚନା ଯେ, ପଙ୍କଜିନିଙ୍କର ପୁଅ ଗତ୨୫ ବର୍ଷ ହେବ ଘର ଛାଡ଼ି କୁଆଡେ ଚାଲିଯାଇଛନ୍ତି। ଘରେ ଥିବା ବୋହୁ ସୁକାନ୍ତି ଚାଷ କାମ ପାଇଁ ବିଲକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ବୁଧବାର ସନ୍ଧ୍ୟାରେ ବୋହୁ ବିଲରୁ ଆସି ଶାଶୁ ପଙ୍କଜିନିକୁ ଖୋଜି ପାଇ ନଥିଲେ। ପରେ ଏଣେତେଣେ ଖୋଜାଖୋଜି କରି ଶେଷରେ ପାଖରେ ଥିବା ପୋଖରୀରେ ପଙ୍କଜିନି ଭାସୁଥିବାର ଦେଖିବାକୁ ପାଇଥିଲେ । ଏନେଇ ସୁକାନ୍ତି ପଡୋଶୀ ତଥା ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ମାନେ ପହଞ୍ଚି ପୋଖରୀରୁ ବୃଦ୍ଧାଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଇଡ଼କ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଆପାଳ ଥାନା ଏ ଏସ ଆଇ ମନୋରଞ୍ଜନ ପୁହାଣ ପହଞ୍ଚି ଥିଲେ । ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୩୩/୨୧) ରୁଜୁ କରି ତଦନ୍ତ ଜାରି ରଖିଥିବାର ଜଣାପଡିଛି ।
