ଏଣିକି ପ୍ରତି ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଓଡ଼ିଶା ହାଇକୋର୍ଟ, ଦୁଇ ସିଫ୍ଟରେ କରିପାରିବେ ପରିଦର୍ଶନ
କଟକ : ଆସନ୍ତାକଲି ଠାରୁ ପ୍ରତି ଶନିବାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଓଡ଼ିଶା ହାଇକୋର୍ଟ । କେବଳ ଛୁଟିଦିନକୁ ଛାଡ଼ିଦେଲେ ପ୍ରତ୍ୟେକ ଶନିବାର ସର୍ବସାଧାରଣ ଦୁଇ ସିଫ୍ଟରେ ଓଡ଼ିଶା ହାଇକୋର୍ଟ ପରିଦର୍ଶନ କରିପାରିବେ । ସକାଳ ୧୦ଟାରୁ ସାଢ଼େ ୧୧ଟା ଓ ସାଢ଼େ ୧୧ରୁ ୧ଟା ପର୍ଯ୍ୟନ୍ତ ଲୋକେ ହାଇକୋର୍ଟ ପରିଦର୍ଶନ କରିବେ ।
ପ୍ରତ୍ୟେକ ସିଫ୍ଟରେ ସର୍ବାଧିକ ୪୦ଜଣ ପର୍ଯ୍ୟଟକ ରହିବେ । ଏ ସଂକ୍ରାନ୍ତରେ ହାଇକୋର୍ଟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପରିଦର୍ଶନ ସମୟରେ ପର୍ଯ୍ୟଟକମାନେ ହେରିଟେଜ୍ କୋଠାର କୋର୍ଟ ରୁମ୍, ହାଇକୋର୍ଟର ନୂଆ କୋଠା ଏବଂ ହାଇକୋର୍ଟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ବୁଲିପାରିବେ । ବୁଲିବା ସମୟରେ ହାଇକୋର୍ଟର ଅଧିକାରୀମାନେ ପରିଦର୍ଶକଙ୍କୁ ବିଭିନ୍ନ ସୂଚନା ଦେବାରେ ସହଯୋଗ କରିବେ ।
ଶୁକ୍ରବାରଠାରୁ ଅର୍ଥାତ ୩ତାରିଖରୁ ପରିଦର୍ଶନ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଆଗ୍ରହୀ ବ୍ୟକ୍ତିମାନେ ଭିଜିଟର୍ସ ପାସ୍ କାଉଣ୍ଟରରୁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ନିଜ ନାମ ପଞ୍ଜିକରଣ କରିବେ ଓ ସେଠାରୁ ପାସ୍ ସଂଗ୍ରହ କରିପାରିବେ । ପଞ୍ଜିକରଣ ବେଳେ ସେମାନେ ନିଜର ପରିଚୟପତ୍ର ପ୍ରଦାନ କରିବେ । ବୁଲିବାକୁ ଆସିବା ବେଳେ ମଧ୍ୟ ପରିଚୟପତ୍ର ସାଙ୍ଗରେ ଆଣିବେ ।
ହାଇକୋର୍ଟ ପକ୍ଷରୁ ଯେଉଁ ଗାଇଡ୍ ଦିଆଯିବ ସେଥିପାଇଁ କୌଣସି ଦେୟ ନିଆଯିବ ନାହିଁ । ଅନ୍ଲାଇନ୍ ପଞ୍ଜିକରଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ଏଠାରେ ସୂଚନା ଥାଉ କି, ହାଇକୋର୍ଟ ଭିତରକୁ ମନମୁଖି ପ୍ରବେଶ ଉପରେ କଟକଣା ରହିଛି । ପୂର୍ବରୁ ଓକିଲମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମହକିଲମାନେ ହିଁ ଅଦାଲତ ଭିତରକୁ ଯାଇପାରୁଥିଲେ ।
