ଲେମ୍ବୁକୁ ନେଇ ସବୁଠି ଚର୍ଚ୍ଚା ! ଦର ଆକାଶ ଛୁଆଁ
ଭୁବନେଶ୍ୱର : ଲେମ୍ବୁକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ଓଡ଼ିଶା ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ ସାହୁ ଓଡ଼ିଶା ଲେମ୍ବୁ ଉତ୍ପାଦନରେ ପ୍ରଥମ ବୋଲି ଉତ୍ତର ରଖିବା ପରେ ଲେମ୍ବୁକୁ ଏବେ ସମସ୍ତଙ୍କ ଆଲୋଚନାର ବିଷୟ ପାଲଟିଛି । ହେଲେ ଏସବୁ ଭିତରେ ଏବେ ଗୁଜରାଟର ଲୋକେ ଲେମ୍ବୁ ପାଇଁ ବେଶ ହଇରାଣ ହରକତ ହେଉଛନ୍ତି । କାହିଁକି ନା ଗୁଜରାଟରେ ଏବେ ଲେମ୍ବୁ କେଜି ୨୦୦ ଟଙ୍କା ଟପିଛି । ସପ୍ତାହେ ତଳେ ଦର ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ଏହା ଡବଲ୍ ସେଞ୍ଚୁରୀ କ୍ରସ୍ କରିଛି । ତେବେ ପାରଦ ଉପରମୁହାଁ ହୋଇ ଚାଲିଥିବା ଲୋକଙ୍କ ପାଇଁ ଏବେ ଲେମ୍ବୁ ଏକ ଅତ୍ୟାବଶକୀୟ ଦ୍ରବ୍ୟ ହୋଇପଡ଼ିଛି । ତେଣୁ ଏଭଳି ସମୟରେ ଲେମ୍ବୁର ଦରବୃଦ୍ଧି ଖାଉଟିଙ୍କ ଟେନସନ୍ ବଢ଼ାଇଛି । ପେଟ୍ରୋଲ, ଡିଜେଲ ଓ ଏଲପିଜିର ଦୈନିକ ଦରବୃଦ୍ଧି ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିବାକୁ ବସିଥିବା ବେଳେ ଏବେ ଲେମ୍ବୁର ଦରବୃଦ୍ଧି ସେମାନଙ୍କ ଜୀବନକୁ ଏକରକମ ଖଟା କରିଦେଇଛି ।
କାହିଁକି ବଢ଼ୁଛି ଲେମ୍ବୁ ଦର?
ଗୁଜରାଟର ରାଜକୋଟ ଠାରୁ ଅହମ୍ମଦାବାଦ ଯାଏଁ ସବୁଠି ଏବେ ଲେମ୍ବୁ ଦର ଆକାଶଛୁଆଁ ହୋଇଛି । ତେବେ ବଜାରରେ ଲେମ୍ବୁ ଅଭାବ ଏହି ଦରବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି । ତାପମାତ୍ରା ବଢ଼ିବା ମାତ୍ରେ ଲୋକେ ମଧ୍ୟ ସେମାନଙ୍କ ଖାଇବାରେ ଲେମ୍ବୁ ସାମିଲ କରିବାକୁ ଇଚ୍ଛା କରନ୍ତି । ଲେମ୍ବୁ ଭିଟାମିନ୍ Cରେ ଭରପୂର ଥିବା ବେଳେ ଶରୀରରେ ଜଳୀୟଅଂଶ ବଜାୟ ରଖିବାରେ ବେଶ ସହାୟକ ହୁଏ । ଏପରିକି ହଜମରେ ମଧ୍ୟ ଲେମ୍ବୁ ସାହାଯ୍ୟ କରେ । ତେଣୁ ବର୍ଦ୍ଧିତ ତାପମାତ୍ରା ସାଙ୍ଗରେ ଲେମ୍ବୁର ଡିମାଣ୍ଡ ବଢ଼ୁଥିବା ବେଳେ ସପ୍ଲାଏ କିନ୍ତୁ କମିଛି । ସେଥିପାଇଁ ଏବେ ହୁହୁ ହୋଇ ଲେମ୍ବୁ ଦର ବଢ଼ୁଛି । ଯାହାର ସିଧା ପ୍ରଭାବ ଉଭୟ ଦୋକାନୀ ଓ ଗ୍ରାହକଙ୍କ ଉପରେ ପଡ଼ୁଛି ।
ଖାଲି ଲେମ୍ବୁ ନୁହେଁ, କଞ୍ଚା ଲଙ୍କା, ଅଦା, ବିନ୍ସ, ରସୁଣ, କୋବି ଓ ଧନିଆଁପତ୍ର ଦର ମଧ୍ୟ ବଢ଼ିବାରେ ଲାଗିଠଛି । ସେହିପରି ଜୀରା, ଧନିଆଁ ଓ ଲଙ୍କାର ଦର ମଧ୍ୟ ସପ୍ତାହକ ମଧ୍ୟରେ ୪୦ରୁ ୬୦ ପ୍ରତିଶତ ଯାଏଁ ବଢ଼ିଛି । କଞ୍ଚା ପରିବାରର ଦରବୃଦ୍ଧି ମଧ୍ୟରେ କ୍ଷୀର ଦାମ୍ ମଧ୍ୟ ବଢ଼ିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ିସାରିଛି । ମଦର ଡାଏରୀ ମଧ୍ୟ ଲିଟର ପିଛା ୨ ଟଙ୍କା ଦର ବଢ଼ାଇଛି । ତେଣୁ ଗ୍ରୀଷ୍ମ ଆଗମନ ପୂର୍ବରୁ ପାରଦ ସହ ତାଳ ଦେଇ ଅତ୍ୟାବଶକୀୟ ଦ୍ରବ୍ୟର ଏଭଳି ଦରବୃଦ୍ଧି ଗ୍ରାହକ ମୁଣ୍ଡ ଉପରେ ଏବେ ଚଡ଼କ ପକାଇଛି ।
