ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ; ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ରୋଷଘରେ ଭାଙ୍ଗିଲା ୬୦ରୁ ଊର୍ଦ୍ଧ୍ୱ ଚୁଲା
ପୁରୀ: ଶ୍ରୀମନ୍ଦିରରେ ରବିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରୋଷଘରେ ପ୍ରାୟ ୬୦ରୁ ଅଧିକ ଚୁଲାକୁ ଭାଙ୍ଗି ଦିଆଯାଇଛି। ଆନନ୍ଦବଜାରରେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଚୁଲା ଭଙ୍ଗାରୁଜା କରାଯାଇଥିବା ଆଶଙ୍କା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାମଲାର ଛାନଭିନ ଆରମ୍ଭ ହୋଇଛି।
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ରୋଷଘରେ ୬୦ରୁ ଊର୍ଦ୍ଧ୍ୱ ଚୁଲାକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଛନ୍ତି। ଆନନ୍ଦବଜାରରେ ବ୍ଯବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲା ଭଙ୍ଗାଯାଇଥିବା ଆଶଙ୍କା କରାଯାଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି। ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନୀତି ସମୟରେ ରୋଷଘର ଧୋପଖାଳ ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସିଂହଦ୍ୱାର ପୋଲିସ ଅନୁମାନ କରୁଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପୁରୀ ଜଗନ୍ନାଥ ମନ୍ଦିରର ରୋଷଶାଳାରେ ପ୍ରାୟ ୭୦୦ ଚୁଲା ଅଛି। ଏହି ଚୁଲାରେ ମହାପ୍ରଭୁଙ୍କ ଲାଗି ମହାପ୍ରସାଦ ଲାଗି ହୋଇଥାଏ। ବିଶେଷକରି ବରାଦି ଭୋଗ ପ୍ରସ୍ତୁତି ହୋଇଥାଏ। ଶ୍ରୀମନ୍ଦିର ରୋଷଶାଳାକୁ ବାହାର ଲୋକଙ୍କ ପ୍ରବେଶ ନିଷିଦ୍ଧ ଅଛି। କଡା ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଭିତରେ ଅଣସେବାୟତଙ୍କ ପସିବା ସମ୍ଭବ ନୁହଁ। ଏଭିଳି ସ୍ଥିତିରେ କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଚୁଲା ଭଙ୍ଗାରୁଜାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସେବାୟତଙ୍କ ବ୍ୟକ୍ତିଗତ ଶତ୍ରୁତାରୁ ଏଭଳି କାଣ୍ଡ ଘଟାଯାଇଛି ନା ଏହା ପଛରେ କିଛି ବଡ ଷଡଯନ୍ତ୍ର ଅଛି?
ସେପଟେ ମନ୍ଦିର ରୋଷଶାଳାରେ ମହାଲକ୍ଷ୍ମୀଙ୍କ ଚୁଲି ଭାଙ୍ଗିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆରମହାସୁଆର ମଧ୍ୟରେ ତାଳମେଳ ନାହିଁ। ସୁଆରମହାସୁଆର ନିଯୋଗ ପକ୍ଷରୁ ୭୨୦ ଚୁଲିରୁ ୩୦୦ ଚୁଲି ଭଙ୍ଗା ଯାଇଥିବା କୁହାଯାଇଛି। କିନ୍ତୁ ପ୍ରଶାସନର ସୂଚନା ମୁତାବକ ୨୪୦ରୁ ୪୦ ଚୁଲି ଭାଙ୍ଗିଛି। ଭଙ୍ଗାଯାଇଥିବା ଚୁଲା ମଧ୍ୟରେ କୋଠଭୋଗର ୮ଟି ଚୁଲି ଅଛି।
