ଭଦ୍ରକ : କୌଣସି ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ସେହି ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ । ପାଠପଢ଼ା ସହିତ ନୃତ୍ୟ, ସଙ୍ଗୀତ, କ୍ରୀଡ଼ା, ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଆଦି କ୍ଷେତ୍ରରେ ପ୍ରତିଭା ସମ୍ପନ୍ନ ଛାତ୍ର ଛାତ୍ରୀଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ସହିତ ପୁରସ୍କାର ବିତରଣ ଏହି ଉତ୍ସବରେ ସେମାନଙ୍କୁ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ଅନେକ ଖୁସି ଦେବା ସହିତ ଆଗକୁ ବଢ଼ିବାକୁ ଉତ୍ପ୍ରେରିତ କରାଇଥାଏ । ପ୍ରତିଭା ପ୍ରଦର୍ଶନ କରୁଥିବା ପିଲାଟିର ଦକ୍ଷତା ଅର୍ଜନ ପଛରେ ଥିବା କଷ୍ଟ ବା ସାଧନା ଅନ୍ୟମାନଙ୍କୁ ଅନୁକରଣ କରିବାକୁ ଶିକ୍ଷାଦିଏ । ୧୯୫୯ରେ ଭଦ୍ରକ ସହରରେ ପ୍ରତିଷ୍ଠା ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଦ୍ରକ ଏବଂ ୨୦୧୮ରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ନାମରେ ନାମିତ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ଏହା ପ୍ରକାଶ କରିଥିଲେ । ଭଦ୍ରକ ବିଧାୟକ ସଂଜୀବ କୁମାର ମଲିକ୍ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ସୁଶ୍ରୀ ଅଞ୍ଜନା ମିଶ୍ର, ଓକରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଦାସ, ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନଲତା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀମତୀ ସାହୁ ଏବଂ ଅନ୍ୟତମ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ବିନୋଦିନୀ ମହାନ୍ତିଙ୍କୁ ମାନପତ୍ର ସହ ଉପଢ଼ୌକନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଅତିଥି ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଅବସରପ୍ରାପ୍ତ ଶିକ୍ଷକ କରୁଣାକର ଉପାଧ୍ୟାୟ ଏବଂ କମଳାକାନ୍ତ ତ୍ରିପାଠୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବାର୍ଷିକ ବିବରଣୀ ଉପସ୍ଥାପନ ଆଧାରରେ ପ୍ରଧାନ ଶିକ୍ଷକ ହାଇସ୍କୁଲ ପରୀକ୍ଷାରେ ଶତପ୍ରତିଶତ ସଫଳତା, ଅନ୍ୟାନ୍ୟ କ୍ଷେତ୍ରରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ କୃତିତ୍ୱ ଅର୍ଜନ ବିଷୟ ପ୍ରତିପାଦିତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରାଜକିଶୋର ଚୋøଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ସଭା ପରେ ପରେ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଶା, ସମ୍ବଲପୁରୀ, ଦେଶାତ୍ମବୋଧକ, ଲୋକନୃତ୍ୟ, ଆଦିବାସୀ ନୃତ୍ୟ ଆଦି ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପୁରସ୍କାର ବିତରଣ ପାଇଁ ଅପରାହ୍ନ ଅଧିବେଶନରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଡଃ ମାୟାଧର ସାହୁ, ବ୍ଲକ୍ ଶିକ୍ଷାଧିକାରୀ ଭଦ୍ରକର ଚକ୍ରଧର ମଲ୍ଲିକ୍, ବାସୁଦେବପୁର ଜଗବନ୍ଧୁ ସାହୁ, ସରକାରୀ ଯନ୍ତ୍ରୀ, ପୂର୍ତ୍ତ, ଭଦ୍ରକ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ସଭାପତି ରୋଟାରୀ କ୍ଲବ୍ ମିଡ଼୍ଟାଉନ୍ ପ୍ରୀତିରଞ୍ଜନ ଜେନା ଏବଂ ସମାଜ ସେବୀ ପଙ୍କଜ ବଳ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଦମୟନ୍ତୀ ନାୟକ, ପ୍ରଜ୍ଞାବଳ, ସସ୍ମିତା ମହାପାତ୍ର, ତନୁଶ୍ରୀ ଓଝା, କିରଣବାଳା ରାଉତ, ରାଜଶ୍ରୀ ପଣ୍ଡା, ମିନତୀ ଦାସ ପ୍ରମୁଖ ଆନୁସଂଗିକ ସହଯୋଗ କରିଥିଲେ ।
Post Views: 55,491