ସ୍ୱଚ୍ଛ, ସବୁଜ ଓ ଗହଳିମୁକ୍ତ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ
କଟକ : ବାଲିଯାତ୍ରାରେ ଷ୍ଟଲ ନିର୍ମାଣ ନିମନ୍ତେ ପଂଜୀକରଣ ପ୍ରକ୍ରିୟା ୨୮ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବାଲିଯାତ୍ରା ସମ୍ବନ୍ଧିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ତଳ ଓ ଉପର ବାଲିଯାତ୍ରା ପଡିଆର ନକ୍ସା ଜିଲ୍ଲା ୱେବସାଇଟରେ ଉପଲବ୍ଧ ହେଉଛି । ବାଲିଯାତ୍ରାରେ ବ୍ୟବସାୟିକ ପ୍ରତିଷ୍ଠାନର ପୃଷ୍ଠପୋଷକମାନେ ଯେଉଁମାନେ ୧ ହଜାର ବର୍ଗଫୁଟ ବା ତଦୁର୍ଦ୍ଧ ପ୍ଲଟ ନେବାକୁ ଆଗ୍ରହୀ ସେମାନଙ୍କୁ ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା ପ୍ରିମିୟମ ଶ୍ରେଣୀ ବିଭାଗରେ ଆବଣ୍ଟିତ ସ୍ଥାନର ପରିମାଣ ୫ ହଜାର ବର୍ଗଫୁଟଠାରୁ ୧୦ ହଜାର ବର୍ଗଫୁଟ, ପ୍ଲାଟିନମ୍ ଶ୍ରେଣୀ ବିଭାଗରେ ୩ ହଜାର ବର୍ଗଫୁଟଠାରୁ ଅଧିକ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ରଖାଯାଇଥିବା ବେଳେ ଗୋଲ୍ଡ ପୃଷ୍ଠପୋଷକ ଶ୍ରେଣୀ ବିଭାଗରେ ୧ ହଜାର ବର୍ଗଫୁଟ ଠାରୁ ଅଧିକ ୩ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନର ପରିମାଣ ରଖାଯାଇଛି । ପ୍ରତ୍ୟେକ ବର୍ଗଫୁଟ ସ୍ଥାନ ପାଇଁ ୫୦୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି । ଦେୟ ବାବଦରେ ଇ-ପେମେଣ୍ଟ, ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଦି କଲେକ୍ଟର-କମ୍-ଚେୟାରମ୍ୟାନ ଦିଷ୍ଟିକ୍ଟ କାଉନସିଲ ଅଫ୍ କଲଚର କଟକ, ରେ କଲେକ୍ଟୋରେଟ ବ୍ରାଂଚ ୟୁକୋ ବ୍ୟାଙ୍କରେ ଦେଇପାରିବେ । ତେବେ ପ୍ଲଟର ସମସ୍ତ ଦେୟ ଜମା କରିବା ପରେ ପ୍ରଥମ ଆବେଦନ ଆଧାରରେ ସ୍ଥାନ ଆବଣ୍ଟିତ ହେବ । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର ବ୍ରାଣ୍ଡ ଏବଂ ପ୍ରତୀକକୁ ବାଲିଯାତ୍ରାରେ ପ୍ରଦର୍ଶିତ ଓ ପ୍ରଚାରିତ କରିବା ସହ ବାଲିଯାତ୍ରାର କାର୍ଯ୍ୟାଳୟ ୱେବସାଇଟରେ ସ୍ଥାନିତ ହେବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସାରିତ ହେବ ବୋଲି ଜିଲ୍ଲାପାଳ ଡ. ଚୟନୀ ପ୍ରକାଶ କରିଛନ୍ତି । ଏହାଛଡା ପୃଷ୍ଠପୋଷକମାନଙ୍କ ନାମ ବାଲିଯାତ୍ରା ମଂଚରେ ଘୋଷିତ ହେବ । ବ୍ୟକ୍ତି ଏବଂ ଅନୁଷ୍ଠାନ ଯେଉଁମାନେ ପୃଷ୍ଠପୋଷକ ଭାବରେ ମର୍ଯ୍ୟାଦା ହାସଲ କରିବେ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବାଲିଯାତ୍ରା ମଂଚରେ ସମ୍ବର୍ଦ୍ଧିତ କରାଯିବ । ପ୍ରକାଶ ଥାଉକି, ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ଲାଗି ନିରନ୍ତର ପ୍ରୟାସ ଜାରି ରହିଛି । ୩୪ ଏକର ପରିମିତ ଜମିରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହାର ଅଂଶବିଶେଷ ସ୍ୱରୂପ ୧୦୮ ଏକର ଅଂଚଳକୁ ପାର୍କ ଓ ଖେଳପଡିଆ ଭାବେ ବ୍ୟବହୃତ ହେବ । ମୋଟାମୋଟି ଭାବେ ସ୍ୱଚ୍ଛ, ସବୁଜ, ଗହଳିମୁକ୍ତ ବାଲିଯାତ୍ରା ଆୟୋଜନ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ଇ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅମ୍ବର କୁମାର କର, ଉପ ଜିଲ୍ଲାପାଳ ସଦର ପ୍ରତାପ ଚନ୍ଦ୍ର ବେଉରା, ଟିପିସିଓଡିଏଲ ଅଧିକ୍ଷଣ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ, ସିଏମସି ଉପ ଆୟୁକ୍ତ ଅମୀୟ କୁମାର ପଣ୍ଡା, ସଦର ତହସିଲଦାର ଡ. ମାନସ ରଂଜନ ଭୋଇ ଉପସ୍ଥିତ ଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ବାଲିଯାତ୍ରାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।
