ସ୍ୱାମୀ-ସ୍ତ୍ରୀଙ୍କ ମରଣାନ୍ତ ଆକ୍ରମଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି
ନୀଳଗିରି : ଏକ କୁକୁର କାମୁଡ଼ା ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମେତ ଜଣେ ଶିଶୁ ମନ୍ଦିର ଶିକ୍ଷୟିତ୍ରୀଙ୍କ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲୋଜ କରିବା ସହିତ ସ୍ୱାମୀ-ସ୍ତ୍ରୀଙ୍କ ଏକ ଟାୟାର କଟା ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଘଟଣା ନିମପାଳ (ଦୁର୍ଗାପୁର) ଠାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାଇ ନୀଳଗିରି ଥାନା ଦୁର୍ଗାପୁର ଗ୍ରାମର ଶ୍ରୀମତୀ ଭଗବତୀ ଦାସ , ସ୍ୱାମୀ- ମାନସ ରଂଜନ ଦାସଙ୍କ ଘର ବାରଣ୍ଡାରେ ଏକ ଶିଶୁ ମନ୍ଦିରର ପିଲାମାନଙ୍କୁ ଶିକ୍ଷୟିତ୍ରୀ ନମିତା ଦାସ ପ୍ରତିଦିନ ଟିଉସନ କରିଥାଆନ୍ତି । ଉକ୍ତ ଗାଁର ଭଗବାନ ଦାସ (ମକରା)ଙ୍କ ଏକ ଦେଶୀ କୁକୁର ଟିଉସନ ପଢ଼ୁଥିବା ଜଣେ ଆଦିବାସୀ ପିଲାଙ୍କୁ କାମୁଡ଼ିଥିଲା । ଏ ବିଷୟରେ ଘର ମାଲିକାଣୀ ଶ୍ରୀମତୀ ଭଗବତୀ ଦାସ ଘଟଣା ସମ୍ପର୍କରେ ଶିକ୍ଷୟିତ୍ରୀଙ୍କୁ ପଚାରୁଥିବା ବେଳେ ଭଗବାନ ଦାସ ଏକଖା ଶୁଣି ଭଗବତୀଙ୍କୁ ନାନାଦି ଅଶ୍ରାବ୍ୟ ଭାଷାରେ ଗାଳିଗୁଲୋଜ କରୁଥିବା ବେଳେ ତାଙ୍କ ସ୍ୱାମୀ ଏକଥା ଶୁଣି ବାରଣ କରନ୍ତେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ନାନାଦି ଅଶ୍ରାବ୍ୟ ଭାଷା କହି ଗାଳି କରିବା ସହିତ ଏକ ଧାରୁଆ କଟୁରୀରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବେକ, ମୁଣ୍ଡ ସହିତ ବିଭିନ୍ନ ସ୍ଥାନରେ ଆଘାତ କରିଥିବା ଯୋଗୁଁ ସେମାନେ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଉକ୍ତ ଗାଁର କିଛି ଲୋକ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ନୀଳଗିରିକୁ ଆଣି ଚିକିତ୍ସା କରିଥିବା ଜଣାପଡ଼ିଛି । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହେଲା ପରେ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି ।
