ସହରାଂଚଳର ଭୂମିହୀନଙ୍କୁ ମାଗଣା ଜମି ଜାଗା ମିଶନ ଯୋଜନାରେ ଡ୍ରୋନ୍ ସର୍ଭେ ଶେଷ
୩୫ଟି ବସ୍ତିରେ ‘ଉଶା’ ସର୍ଭେ ୨୨ଟି ବସ୍ତିର ୪ହଜାର ଘର ହେଲା ଷ୍ଟିକରିଂ
କଟକ : ସହରାଂଚଳରେ ଭୂମିହୀନଙ୍କୁ ଭୂମି ଅଧିକାର ଦେବା ସକାଶେ ଆରମ୍ଭ ହୋଇଥିବା ଯୋଜନା ‘ଜାଗା ମିଶନ’ କାର୍ଯ୍ୟ କଟକ ସହରରେ ତ୍ୱରିତ୍ ବେଗରେ ଆଗେଇ ଚାଲିଛି । ବିଶେଷକରି ବସ୍ତିରେ ବସବାସ କରୁଥିବା ଭୂମିହୀନଙ୍କୁ ଏଥିରେ ଚିହ୍ନଟ କରାଯାଇ ସେଠାର ଭିତ୍ତିଭୂମି ବିକାଶ, ରାସ୍ତା, ପାନୀୟ ଜଳ ଯୋଗାଣ ଓ ଆଲୋକ ବ୍ୟବସ୍ଥା ସହ ମୋଟ ୯ଟି ମୈାଳିକ ତଥା ସହରୀ ସୁବିଧା ଯୋଗାଇଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଡ୍ରୋନ ସର୍ଭେ କାର୍ଯ୍ୟ ଶେଷ କରାଯାଇ ଗରିବ ଭୂମିହୀନଙ୍କୁ ୩୦ ବର୍ଗମିଟରରୁ ୪୫ ବର୍ଗ ମିଟର ଜମି ଯୋଗାଇଦିଆଯିବା ସହ ଉକ୍ତ ଜମି ଚିହ୍ନଟ ପାଇଁ ଷ୍ଟିକରିଂ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୨୨ଟି ବସ୍ତିରେ ୪ ହଜାର ପରିବାର ରହୁଥିବା ଘରଗୁଡିକୁ ଏପର୍ଯ୍ୟନ୍ତ ଷ୍ଟିକରିଂ କରାଯାଇଛି ବୋଲି ସିଏମସି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ସେହିପରି ସହରରେ ସରକାରୀ ଜମିରେ ଗଢିଉଠିଥିବା ପାଖାପାଖି ଶହେ ବସ୍ତିରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ କରାଯାଇଛି । ଏତଦ୍ ବ୍ୟତୀତ ବସ୍ତିଗୁଡିକର ମ୍ୟାପିଂ କରାଯାଇ ପାଖାପାଖି ୩୫ଟି ବସ୍ତିରେ ୭ ତାରିଖ ସୁଦ୍ଧା ‘ଅର୍ବାନ୍ ସ୍ଲମ୍ ହାଉସ୍ ହୋଲ୍ଡ ଏରିଆ’(ଉଶା) ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ଫେବୃଆରୀ ସୁଦ୍ଧା ବାକି ଅନ୍ୟ ବସ୍ତିଗୁଡିକର ସର୍ଭେ କାର୍ଯ୍ୟ ଶେଷ ହବେ ବୋଲି ଦାୟିତ୍ୱରେ ଥିବା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସହରର ସମସ୍ତ ୫୯ଟି ୱାର୍ଡରେ ଏହି ଜାଗା ମିଶନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ଗରିବ ଲୋକଙ୍କ ଆବଶ୍ୟକତାକୁ ପୂରଣ କରାଯିବ ବୋଲି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ କହିଛନ୍ତି । ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ୩୫ଟି ବସ୍ତି ମଧ୍ୟରୁ ୨୨ଟି ବସ୍ତିରେ ଚିହ୍ନଟ ପ୍ରକ୍ରିୟା ଜାରି ରହିବା ସହ ଏପର୍ଯ୍ୟନ୍ତ ପାଖାପାଖି ୪ ହଜାର ଘରକୁ ଷ୍ଟିକରିଂ କରାଯାଇଛି । ଏହି କାର୍ଯ୍ୟ ଶେଷ ହେବା ପରେ ପ୍ରତି ପରିବାରର ତଥ୍ୟକୁ ରାଜସ୍ୱ ବିଭାଗକୁ ହସ୍ତାନ୍ର କରାଯିବ ଏବଂ ସେସବୁକୁ ଯାଂଚ କରାଯାଇ ଶେଷରେ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଭୂମିହୀନ ବସ୍ତିବାସୀଙ୍କୁ ଭୂମିପ୍ରମାଣ ପତ୍ର ଯୋଗାଇ ଦିଆଯିବ । ବସ୍ତିବାସୀଙ୍କୁ ଭୂମି ଅଧିକାର ଦେବା ସକାଶେ ନଭେମ୍ବର ୧୦ରେ ସରକାରଙ୍କ ପକ୍ଷରୁ ଜଗତପୁର ତ୍ରିନାଥ ଆଦିବାସୀ ସାହିରେ ସିଏମସି ପକ୍ଷରୁ ଡ୍ରୋନ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
