ରାସ୍ତାପାଶ୍ୱର୍ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା
ବାଲେଶ୍ୱର : ସହରର ସିନେମାଛକରୁ ପାଣିଟାଙ୍କି ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ ଉଠାଦୋକାନ ଉଚ୍ଛେଦ ବେଳେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ୱରେ ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । କିଛି ଦୋକାନୀ ସେମାନଙ୍କ ସାମଗ୍ରୀ ଉଠାଇ ନେଇଥିବା ବେଳେ ଆଉ କିଛି ଦୋକାନକୁ ପୌର କର୍ତ୍ତୃପକ୍ଷ ଧରାଶାୟୀ କରିଥିଲେ । ତେବେ ଏହି ଉଚ୍ଛେଦ ପ୍ରକୟିୟାକୁ ପ୍ରଥମରୁ ଉଠା ଦୋକାନୀମାନେ ବିରୋଧ କରିବା ସାଙ୍ଗକୁ ଜେସିବି ସମ୍ମୁଖରେ ଦଳବଦ୍ଧ ହୋଇ ଛିଡ଼ା ହୋଇଥିଲେ । ଏଡିସନାଲ ତହସିଲଦାର ଶ୍ରୀ ପ୍ରଧାନ ଓ ଟାଉନ ଥାନା ଅଧିକାରୀ ପର୍ଶୁରାମ ସାହୁ ଦୋକାନୀମାନଙ୍କୁ ବୁଝାସୁଝା କରିବା ସହ ଉଚ୍ଛେଦ ପ୍ରକ୍ରିୟାକୁ ଆଗକୁ ନେଇଥିଲେ ।ଏହି ଉଚ୍ଛେଦ ବେଳେ ଟ୍ରାଫିକ ଜାମ ହେବାକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉଚ୍ଛେଦରେ ବ୍ୟବହୃତ ଜେସିବି ଓ ଅନ୍ୟାନ୍ୟ ଯାନବାହନ ରାସ୍ତା ଉପରେ ରହିବା ଯୋଗୁଁ ଡାକ୍ତରଖାନାକୁ ଆସୁଥିବା ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଅଟକି ରହିବାକୁ ପଡ଼ିଥିଲା । ଉଚ୍ଛେଦ ପ୍ରକ୍ରିୟା ଦିନ ପରିବର୍ତ୍ତେ ରାତିରେ କରିବାକୁ ସେଠାରେ ଉପସ୍ଥିତ କିଛି ବୁଦ୍ଧିଜୀବୀ ଦାବି କରିଥିଲେ । ଆଜିର ଉଚ୍ଛେଦ ପ୍ରକ୍ରିୟାରେ ପୌର କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।
