ଟି ବ୍ରିଜ୍ ରେ ଦଳାଚକଟା ମହିଳା ମୃତ, ୨୦ ଗୁରୁତର ଭିଡ ବଢିବାରୁ ଦଳାଚକଟା ପରିସ୍ଥିତି
୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପବିତ୍ର ମକର ସଂକ୍ରାନ୍ତିରେ ଘଟିଛି ଅଘଟଣ । କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ମହାନଦୀ ଉପରେ ନିର୍ମିତ ଟି-ସେତୁରେ ମକର ମେଳାକୁ ଯାଉଥିବା ଭକ୍ତ-ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ନାଁ ଅଂଜନା ସ୍ୱାଇଁ (୪୫) ।ଏହି ଘଟଣାରେ ୨୦ ଜଣରୁ ଉର୍ଦ୍ଧ୍ୱ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଥିରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଗୁରୁତର ମାନଙ୍କୁ ବଡମ୍ବା ମେଡିକାଲରେ ଭର୍ତି କରାଯାଇଛି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି, ଆଜି ସିଂହନାଥ ପୀଠରେ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ୩ କିଲୋମିଟର ଲମ୍ବା ବ୍ରିଜ୍ ରେ ହଠାତ୍ ଲୋକଙ୍କ ଭିଡ଼ ହେବାରୁ ଦଳାଚକଟା ହୋଇଥିଲା । ଭିଡ଼ ଯୋଗୁ କିଛି ଲୋକ ଅଣନିଃଶ୍ୱାସୀ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ । ୮ ଜଣ ଆହତଙ୍କୁ ବଡମ୍ବା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ଡାକ୍ତରଖାନାରେ ସ୍ଥିତି ନିରୀକ୍ଷଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜଣେ ଅଫିସରଙ୍କୁ ନିୟୋଜିତ କରାଯାଇଛି ।
ସୂଚନା ଅନୁସାରେ ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ମକରମେଳାର ଆୟୋଜନ କରାଯାଇଛି । ଏହି ମେଳା ବୁଲିବାକୁ କଟକ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶନିବାର ସିଂହନାଥ ପୀଠରେ ପହଂଚିଥିଲେ । ତେବେ ଆଶାତୀତ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା । କିଛି ଲୋକ ଜୀବନ ବଂଚାଇବା ପାଇଁ ବ୍ରିଜ୍ ଉପରୁ ତଳକୁ ଡେଇଁପଡ଼ିଥିବା କୁହାଯାଉଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।
ଅନ୍ୟପଟରେ ମହାନଦୀ ଉପରେ କିଛି ମାସ ପୂର୍ବରୁ ଲୋକାର୍ପିତ ହୋଇଥିବା ଟି-ସେତୁ ଉପରେ ଅଚାନକ ଲକ୍ଷାଧିକ ଲୋକଙ୍କର ଭିଡ଼ ହୋଇଥିବାରୁ ସେମାନଙ୍କୁ ନିୟନ୍ତ୍ରିତ କରିବାରେ ଅସୁବିଧା ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ସିଂହନାଥ ପୀଠରେ ଦର୍ଶନ ବନ୍ଦ ରଖାଯାଇଛି । ପରିସ୍ଥିତିରେ ସ୍ୱାଭାବିକ ଅବସ୍ଥା ଆଣିବା ପାଇଁ ୩ ପ୍ଲାଟୁନ୍ ପୁଲିସ ମୁତୟନ ଅଛନ୍ତି ।
,………….
