ବକେୟା ଦରମା ଦାବିରେ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏକଜୁଟ ହେଲେ ଅସ୍ଥାୟୀ ମହିଳା ସ୍ୱାସ୍ଥ୍ୟକର୍ମୀ
ନୀଳଗିରି : ରାଜ୍ୟସରକାର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦୨୧ ବିଗତ ଦିନରେ ସରକାର କୋଭିଡ ଭେକ୍ସିନେଟର ଓ ଭେରିଫାୟାର ଭାବେ ମହିଳା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲେ । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଡ୍ୟୁଟି କରୁଥିବା ଠିକା ଅସ୍ଥାୟୀ କୋଭିଡ୍ ଭେକ୍ସିନେଟର ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ସୁଚାରୁ ରୂପେ କାର୍ଯ୍ୟ କରୁଥିବା ବେଳେ ଆଜକୁ ୬ ମାସ ହେଲା ଦରମା ନପାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିଛି ମାସ ଦରମା ପାଇଥିବା ବେଳେ କିଛି ଦିନ ହେବ ବକେୟା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ନିଜର ହକ୍ ପାଇଁ ନୀଳଗିରି ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ୨୪ ଜଣ ମହିଳା କୋଭିଡ୍ ଭେକ୍ସିନେଟର ଓ ଭେରିଫାୟାର ମାନେ ମେଡ଼ିକାଲ ସମୁଖରେ ଏକଜୁଟ ହୋଇଥିଲେ । ବକେୟା ଦରମା ପାଇବା ପାଇଁ ବହୁବାର ଦାବୀ ପରେବି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ମିଳୁଥିବାରୁ ସେମାନେ ନିଜ ନିଜର କାର୍ଯ୍ୟ ସାରି ଡହ ଡହ ଖରାରେ ମେଡ଼ିକାଲ ସମ୍ମୁଖରେ ଅଧିକାରୀଙ୍କ ଆସିବା ରାସ୍ତାକୁ ଅନାଇ ବସିଥିଲେ । ହେଲେ ଅଧିକାରୀଙ୍କ ଦେଖା ମିଳିନଥିଲା । କାର୍ଯ୍ୟରତ ଅସ୍ଥାୟୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଙ୍କ ପ୍ରାପ୍ୟ ନପାଇଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଭିଯୋଗକୁ ନେଇ ଜିଲା ମୁଖ୍ୟ ଚିକତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ କହିଛନ୍ତି, ଆସନ୍ତା ବୁଧବାର ଏକ ଟିମ୍ ପଠାଇ ତଦନ୍ତ କରି ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
