ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ଘଟଣା, ସାଇଣ୍ଟିଫିକ ଟିମ୍ର ତଦନ୍ତ ଆରମ୍ଭ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରୁ ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଶନିବାର ସକାଳେ ସ୍ଥାନୀୟ ବିଲରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ସ୍ୱର୍ଗତଃ ଶିକ୍ଷକଙ୍କ ପତ୍ନୀ ସନ୍ଧ୍ୟାରାଣୀ(୬୦)ଙ୍କୁ ତାଙ୍କ ଘରର ବାଥରୁମରୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ଓ ସେଠାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ସ୍ଥାନୀୟ ଲୋକେ ବିଲରେ ପଡ଼ିଥିବା ରକ୍ତାକ୍ତ ମୃତଦେହ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଡକାୟତି ପରେ ତାଙ୍କୁ ହତ୍ୟା କରାଯାଇଥିବାର କୁହାଯାଉଥିବା ବେଳେ ଅନ୍ୟ କେତେକ ଏହାକୁ ଜମିବାଡ଼ି ସଂକ୍ରାନ୍ତୀୟ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମତବ୍ୟକ୍ତ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ତଦନ୍ତ କରିଥିବା ବେଳେ ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର, ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠି, ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ପହଞ୍ôଚ ତଦନ୍ତ କରିଥିଲେ । ଅପରାହ୍ନ ୧ଟା ୩୦ରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସୂଚନା ଯେ, ସ୍ୱର୍ଗତଃ ଶିକ୍ଷକ ଆନନ୍ଦ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ବାଲିଖଣ୍ଡରେ ରହୁଥିବା ବେଳେ ତାଙ୍କ ପୁଅ ଓ ବୋହୁ ଭଦ୍ରକରେ ରୁହନ୍ତି । ତେବେ ଗତ ରାତ୍ରୀ ପ୍ରାୟ ୧୨ଟାରେ ୩ଜଣ ଦୃବୁର୍ତ୍ତ ପାଣି ମାଗିବା ଆଳରେ ତାଙ୍କ ଘରେ ପଶିଥିଲେ । ପରେ ଲୁଟ୍ପାଟ୍ କରିବା ପରେ ଆନନ୍ଦ ଓ ତାଙ୍କ ପତ୍ନିଙ୍କ ମୁଣ୍ଡ ଓ ବେକକୁ ମାରଣାସ୍ତ୍ରରେ ଚୋଟ ମାରିଥିବାର କୁହାଯାଇଛି । ତାଙ୍କ ଘରର ବିଭିନ୍ନ କାଗଜପତ୍ର, ବାକ୍ସ ସ୍ଥାନୀୟ ବିଲରେ ପଡ଼ିଥିବାର ଦେଖାଯାଇଛି । ତେବେ ତଦନ୍ତପରେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ ବୋଲି ପୋଲିସ କହିଛି ।
