ଶ୍ରୀଲଙ୍କାକୁ ହରାଇ ବିଶ୍ୱରେକର୍ଡ଼ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ : ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜର ଶେଷ ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଛି । ସିରିଜକୁ କ୍ଲିନ ସ୍ୱିପ କରିବା ସହ ଭାରତ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଛି । ସିରିଜର କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶ୍ରେୟାସ ଆୟର ଭାରତୀୟ ଦଳକୁ ପୁନର୍ବାର ବିଜୟ ପ୍ରଦାନ କରିଥିଲେ ।
ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ପରାଜିତ ହୋଇ ସାରିଥିବା ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିଥିଲା ଓ ନିଜର ୫ ୱିକେଟ୍ ହରାଇ ୧୪୬ ରନ୍ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ତରଫରୁ କ୍ୟାପଟେନ ଦାସୁନ୍ ଶନାକା ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ୩୮ ଟି ବଲରୁ ୭୪ ରନ୍ ସଂଗ୍ରହ କରିନଥିଲେ । ତାଙ୍କର ଏହି ଇନିଂସରେ ୯ ଚୌକା ଏବଂ ୨ ଛକା ସାମିଲ ଥିଲା । ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୪୭ ରନ୍ ସ୍କୋର କରିବାର ଆବଶ୍ୟକ ଥିଲା । ରୋହିତ ଶର୍ମାଙ୍କ ଟିମ୍ ଏହି ସ୍କୋରକୁ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା ।
ଏହା ସହ ଟିମ୍ ଇଣ୍ଡିଆ କ୍ରମାଗତ ୧୨ଟି ଟି-୨୦ ମ୍ୟାଚ୍ ଜିତି ବିଶ୍ୱ ରେକର୍ଡ ସହିତ ସମକକ୍ଷ ହୋଇଛି । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳ କ୍ଲିନ ସ୍ୱିପ କରିଛି । ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ, ଆଫଗାନିସ୍ତାନ ଏବଂ ରୋମାନିଆର ଲଗାତାର ୧୨ ଟି ମ୍ୟାଚ ଜିତି ପୂର୍ବରୁ ଏହି ବିଶ୍ୱ ରେକର୍ଡ କରିଥିଲେ । ତୃତୀୟ ଟି-୨୦ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଏହି ରେକର୍ଡ ସହ ସମକକ୍ଷ ହୋଇଛି । ଏହାପୂର୍ବରୁ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ ଜିତିଥିଲା । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ପରେ ଆସନ୍ତା ମାସରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ମାର୍ଚ୍ଚ ୪ ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦୃଷ୍ଟିରୁ ଭାରତ ପାଇଁ ଟେଷ୍ଟ ସିରିଜ୍ ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟ ଟେଷ୍ଟ ମାର୍ଚ୍ଚ ୧୨ ରୁ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଦିବାରାତ୍ରୀ ଅଟେ । ଟେଷ୍ଟ ସିରିଜ୍ ପରେ ଆଇପିଏଲ-୨୦୨୨ ଆରମ୍ଭ ହେବ ।
