ଜୋହାନ୍ସବର୍ଗରେ ଟିମ୍ ଇଣ୍ଡିଆ, ଖେଳାଳିଙ୍କ ପାଇଁ ଜୈବ ବଳୟ ନିୟମରେ ପରିବର୍ତ୍ତନ
ଜୋହାନ୍ସବର୍ଗ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ସାଉଥ୍ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଗୁରୁବାର ଏଠାରେ ପହଞ୍ଚିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧିନାୟକ କୋହଲି ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ସମେତ କେତେକ ଖେଳାଳିଙ୍କ ଫଟୋ ପୋଷ୍ଟ କରି ଟ୍ୱିଟ୍ କରିଛି ‘ସାଉଥ୍ ଆଫ୍ରିକା ପହଞ୍ଚିଯାଇଛୁ’। ଏହି ଗସ୍ତ ପାଇଁ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ମୁମ୍ବାଇରୁ ଯାତ୍ରାରମ୍ଭ କରିଥିଲା। ଏହି ଗସ୍ତର ଶେଷ ଭାଗରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଧ୍ୟ ଖେଳାଯିବ। କୋଭିଡ୍-୧୯ର ନୂଆ ଭାରିଆଣ୍ଟ୍ ଓମିକ୍ରମ୍ ବିପଦ ଯୋଗୁଁ ଏହି ଗସ୍ତରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଉଭୟ ଟିମ୍ ପୂରା ସିରିଜ୍ ଅବସରରେ ବାୟୋ ବବଲ୍ରେ ରହିବେ।
ଓପ୍ନର୍ ବ୍ୟାଟ୍ସମ୍ୟାନ୍ ତଥା ନବନିଯୁକ୍ତ ସୀମିତ ଓଭର୍ ଅଧିନାୟକ ରୋହିତ ଶର୍ମା ମୁମ୍ବାଇରେ ଅଭ୍ୟାସ ବେଳେ ଆହତ ହେବା କାରଣରୁ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଗୁଜରାଟର ପ୍ରତିଭାବାନ ଓପ୍ନର୍ ପ୍ରିୟାଙ୍କ ପାଞ୍ଚାଲ୍ଙ୍କୁ ମନୋନୀତ କରାଯାଇଛି। ରୋହିତ ଶର୍ମା ଆହତ ହେବା ପରେ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ଟିମ୍ର ଭାଇସ୍ କ୍ୟାପ୍ଟେନ୍ଙ୍କ ନାମ ଘୋଷଣା ହୋଇନାହିଁ। ଖରାପ ଫର୍ମରେ ଥିବା ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍ କ୍ୟାପ୍ଟେନ୍ ନିଯୁକ୍ତ କରାଯାଇଥିଲା। ଏହି ଗସ୍ତ ପୂର୍ବରୁ ବୁଧବାର ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ଟି-୨୦ ଟିମ୍ର ନେତୃତ୍ୱ ନ ଛାଡ଼ିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଥିଲା ବୋଲି କହି କୋହଲି ହଇଚଇ ସୃଷ୍ଟି କରିଥିଲେ। ୟୁଏଇରେ ଆୟୋଜିତ ଆଇସିସି ଟି-୨୦ ବିଶ୍ୱକପ୍ ପରେ ସେ କ୍ରିକେଟ୍ର ଏହି କ୍ଷୁଦ୍ରତମ ଫର୍ମାଟ୍ରୁ ନେତୃତ୍ୱରୁ ଓହରିଯାଇଥିଲେ। ପରେ ଟେଷ୍ଟ ଟିମ୍ ଘୋଷଣା ସମୟରେ ତାଙ୍କଠାରୁ ଦିନିକିଆ ଦଳର ନେତୃତ୍ୱ ଦାୟିତ୍ୱ ମଧ୍ୟ ଅପସାରଣ କରାଯାଇ ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ନାମ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିଲା।
ଏନେଇ ଆୟୋଜକ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ତା’ର ଜୈବ ବଳୟ ନିୟମରେ କିଛିଟା ପରିବର୍ତ୍ତନ କରିଛି । ଭ୍ରମଣକାରୀ ଦଳ ଭାରତ ଏବଂ ଘରୋଇ ଦଳ ଦକ୍ଷିଣ ଆଫ୍ରିକାର ସମସ୍ତଙ୍କ ଠାରେ ପୂର୍ଣ୍ଣ ଟୀକାକରଣ ପ୍ରକ୍ରିୟା ଶେଷ ହୋଇଛି । ଏହାସତ୍ତ୍ୱେ ଯଦି କୋଭିଡ୍ ପଜିଟିଭ୍ ମାମଲା ଦେଖାଦିଏ ତାହାଲେ ଜୈବ ବଳୟ ଭିତରେ ଏକାନ୍ତବାସ ପାଇଁ ଅନୁମତି ମିଳିବ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକା କହିଛି । ଯଦି ଜୈବ ବଳୟ ଭିତରେ ତଥା ଶୃଙ୍ଖଳା ଅବସରରେ କାହାରି ସଂସ୍ପର୍ଶରେ ଆସି କେହି ବି କୋଭିଡ୍ ପଜିଟିଭ୍ ଆସନ୍ତି ତୋହଲେ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ପଡ଼ିବ ନାହିଁ ଏବଂ ବଳୟ ଛାଡ଼ିବାକୁ ପଡ଼ିବନି । ବରଂ ସୁସ୍ଥ ହେବା ପର୍ଯ୍ୟନ୍ତ ସେମାନଙ୍କୁ ହୋଟେଲ ପ୍ରକୋଷ୍ଠରେ ସଂଗରୋଧରେ ରହିବାର ଅନୁମତି ମିଳିବ ବୋଲି ଘରୋଇ ବୋର୍ଡ କହିଛି । ଏପରିକି ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଖେଳିବାର ଅନୁମତି ମିଳିବ ଏବଂ ସାଥୀଙ୍କ ସହ ଅଭ୍ୟାସ କରିପାରିବେ । ଏନେଇ ଅଣଭେଷଜ ହସ୍ତକ୍ଷେପକୁ କଡ଼ାକଡ଼ା ଭାବେ ତଦାରଖ କରାଯିବ ଏବଂ ଦୈନିକ ପରୀକ୍ଷା କରାଯିବ ବୋଲି କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ମୁଖ୍ୟ ମେଡିକାଲ ଅଧିକାରୀ ସୁଆଇବ ମଞ୍ଜ୍ରା କହିଛନ୍ତି । ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସହ ଯୋଗଯୋଗ ପରେ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏଭଳି ପରିବତ୍ତିତ ଜୈବ ବଳୟ ନିୟମ ନିର୍ଦ୍ଧାରଣ କରିଛି । ଭାରତୀୟ ଦଳ ଚଳିତ ସପ୍ତାହ ଶେଷରେ ଜୋହାନ୍ସବର୍ଗରେ ପହଞ୍ଚିବାର ସୂଚୀ ରହିଛି ।
