ଶିକ୍ଷୟିତ୍ରୀ ନିଖୋଜ ଘଟଣା : ‘ମୋଷ୍ଟ ୱାଣ୍ଟେଡ୍’ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ ୧ଲକ୍ଷ ଟଙ୍କା ପୁରସ୍କାର
- ଗୋବିନ୍ଦ ସାହୁର ପୋଷ୍ଟର୍ ଜାରି କରିଛି ପୋଲିସ
ବଲାଙ୍ଗୀର : କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା। ପୋଲିସ୍ ବାରାକରୁ ଚମ୍ପଟ ମାରିଥିବା ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଧରିବାକୁ ଉଦ୍ୟମ ଜୋରଦାର କରିଛି ପୋଲିସ । ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା କଲା ବଲାଙ୍ଗିର ପୋଲିସ । ସେହିପରି ଗୋବିନ୍ଦ ସାହୁର ପୋଷ୍ଟର୍ ଜାରି କରିଛି ପୋଲିସ। ଏଥିସହ ଗୋବିନ୍ଦଙ୍କ ବାବଦରେ ସୂଚନା ଦେଲେ ପୂର୍ବରୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏହାକୁ ଏବେ ପୋଲିସ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ।
ସୂଚନା ଯେ, ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ପରେ ଗତ ୧୩ ତାରିଖରେ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁଙ୍କୁ ଥାନାକୁ ଅଣାଯାଇଥିଲା । ମାତ୍ର ୪ ଦିନ ପରେ ଗୋବିନ୍ଦ ବାରାକରୁ ଖସି ପଳାଇଥିଲେ । ଗୋବିନ୍ଦଙ୍କ ଫେରାର ପରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲା ପୋଲିସର ନିଦ ହଜିଯାଇଛି। ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ ପକ୍ଷରୁ ବୋର୍ଡ଼ା ଫାଣ୍ଡିରେ ସ୍କୁଲ୍ ଓ କଲେଜର କିଛି କର୍ମଚାରୀଙ୍କୁ ଜେରା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ କଲେଜର ଅଧ୍ୟକ୍ଷ ରଣଜିତ ସାହୁଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି। ଅପରପକ୍ଷେ କଳାହାଣ୍ଡି ଜିଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାର ତଦନ୍ତ ନୂଆ ମୋଡ଼ ନେଇଛି। ମଙ୍ଗଳବାର ସକାଳୁ କଳାହାଣ୍ଡି ଓ ଗୋଳାମୁଣ୍ଡା ପୋଲିସ ମହାଳିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ସହାୟତାରେ ଖୋଳିବା ଆରମ୍ଭ କରିଥିଲେ। ପୋଲିସ୍ ଏକ ଦଗ୍ଧ ତଥା ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରିଛି। ଏହି ଶବ ନିଖୋଜ ମମିତାଙ୍କର କି ନୁହେଁ ସେଥିପାଇଁ ପୋଲିସ ପକ୍ଷରୁ ପରିବାରକୁ ଡକାଯାଇଛି। ବଲାଙ୍ଗୀର ପୋଲିସ ପକ୍ଷରୁ ଗଳିତ ଶବର ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ଏହି ମାମଲାରେ ମମିତାଙ୍କ ବାପା ସିଧାସଳଖ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସପୃକ୍ତି ନେଇ ଅଭିଯୋଗ କରିଥିଲେ । ଏହା ସହିତ ସେ କହିଥିଲେ ଯେ ମନ୍ତ୍ରୀ ନିୟମିତ ଭାବରେ ସେଠାକୁ ଆସୁଥିଲେ । ଗୋବିନ୍ଦ ଏବଂ ମନ୍ତ୍ରୀଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିଲା । ଏପରିକି ସେଠାରେ ଦେହ ବ୍ୟବସାୟ କରାଯାଉଥିବା ମମିତାଙ୍କ ବାପା ଅଭିଯୋଗ କରିଥିଲେ ।
