ତପସ୍ୱିନୀ-ସୁମିତ ବିବାଦ ମାମଲା : ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବାଳୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବ୍ରହ୍ମପୁର : ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲାରେ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ ସଂପର୍କିତ ତଳକୋର୍ଟଙ୍କ ରାୟ ହାଇକୋର୍ଟରେ କାଏମ ରହିଛି । ପ୍ରତିମାସ ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସିକ ୧୭ ହଜାର ଟଙ୍କା ଭରଣପୋଷଣ ବାବଦ ଦେବା ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଏହାକୁ ଚ୍ୟାଲେଂଜ କରିଥିଲେ ସୁମିତ । ଫେବ୍ରୁଆରୀ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନା ଯେ, ଗତ ଜାନୁଆରି ୪ରେ ଗଞ୍ଜାମ ଜିଲା ଓ ଦୌରାଜଜ୍ ଅଦାଲତ ବ୍ରହ୍ମାନଗରସ୍ଥିତ ଶ୍ବଶୁରଘରେ ତପସ୍ବିନୀ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ପ୍ରତିମାସ ୧୦ ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଭରଣପୋଷଣ ବାବଦରେ ସୁମିତ ପ୍ରଦାନ କରିବେ ବୋଲି କହିଥିଲେ। ତପସ୍ବିନୀଙ୍କ ପ୍ରତି କୌଣସି ପ୍ରକାର ଘରୋଇ ହିଂସା ଆଚରଣ ଯେପରି ନ ହେବ, ତାହା ସୁନିଶ୍ଚିତ କରିବାକୁ ଅଦାଲତ କଡ଼ା ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଜିଲ୍ଲା ଓ ଦୌରାଜଜ୍ ଅଦାଲତ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ସୁମିତ ଗତ ଜାନୁଆରି ୧୧ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲା ଅଦାଲତଙ୍କ ରାୟ ଗ୍ରହଣୀୟ ନୁହେଁ ଓ ଏହାକୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ଏହି ମାମଲା ସେ ଦାୟର କରିଥିଲେ। ଆଜି ଏହି ମାମଲାର ଶୁଣାଣି କରାଯାଇଥିଲା। ନିମ୍ନ ଅଦାଲତଙ୍କ ରାୟ ବିରୋଧରେ ତପସ୍ବିନୀଙ୍କ ତରଫରୁ ଆଇନଜୀବୀ ମାନସ ଚାନ୍ଦ ଉପସ୍ଥିତ ରହି ପକ୍ଷ ରଖିଥିଲେ। ହାଇକୋର୍ଟ ସୁମିତ ଓ ତପସ୍ବିନୀଙ୍କ ଓକିଲଙ୍କ ଯୁକ୍ତି ଶୁଣିବାପରେ ଜିଲ୍ଲା ଓ ଦୌରା ଜଜ୍ ଧାର୍ଯ୍ୟ କରିଥିବା ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ବାବଦ ୧୭ ହଜାର ଟଙ୍କା ଫେବ୍ରୁଆରି ୧୦ ଭିତରେ ତପସ୍ବିନୀଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗଞ୍ଜାମ ଜିଲ୍ଲା ଓ ଦୌରାଜଜ ଅଦାଲତଙ୍କ ୨୦୨୨, ଜାନୁଆରି ୪ ନିର୍ଦ୍ଦେଶ ବିରୋଧରେ ସୁମିତ ଦାୟର କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସୁମିତଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
