ରଙ୍ଗେଇଲୁଣ୍ଡା ବିଇଓଙ୍କୁ ଜାତୀୟ ସ୍ତରରେ ସମ୍ମାନିତ ଓ ପୁରସ୍କୃତ
ବ୍ରହ୍ମପୁର : ଜିଲା ପ୍ରଶାସନ କ୍ଷେତ୍ରରେ ନବପରିବର୍ତନ ଉତମ ପ୍ରଦର୍ଶନକୁ ମାନ୍ୟତା ଭିତିରେ ଜାତୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ (ଏନ.ଆଇ.ଇ.ପି.ଏ) ପକ୍ଷରୁ ଜାତୀୟ ସ୍ତରରେ ଆଭାସୀ ମାଧ୍ୟମରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ପ୍ରାୟ ୧୦୦ ଜଣ ଜିଲା ଓ ଗୋଷ୍ଠୀଶିକ୍ଷାଧିକାରୀଙ୍କୁ ଗତ ୨୦୧୮-୧୯ ଓ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଉତମ ପ୍ରଦର୍ଶନ ନିମନ୍ତେ ସମ୍ମାନିତ କରାଯାଇଛି ଏହି ଅଭସରରେ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଡ ପ୍ରଭାତୀ କୁମାରୀ ମହାପାତ୍ରଙ୍କୁ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ସମ୍ମାନିତ କରାଯାଇଛି । ଗତ ୨୦୧୮ ମସିହାରୁ ରଙ୍ଗେଇଲୁଣ୍ଡା ବିଇଓ ଭାବେ କାର୍ଯ୍ୟରତ ଥିବା ଶ୍ରୀମତୀ ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ଏବଂ ସର୍ବୋପରି ସିଦ୍ଧି ହାସଲ ନିମନ୍ତେ ଏକ ଅଭିଯାନ (ଦିସା) ଆରମ୍ଭ କରିଥିଲେ । ଏହି ଅଭିନବ ପରିକଳ୍ପନାକୁ ସୁଚାରୁରୁପେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରିବା ପାଇଁ ସମସ୍ତ ଏବିଇଓ , ସିଆରସିସି , ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ସହଯୋଗ ଅତ୍ୟନ୍ତକାମ୍ୟ ଥିଲା ।

ଏଣୁ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ନାମଲେଖା ଅଭିବୃଦ୍ଧି , ବେସରକାରୀ ବିଦ୍ୟାଳୟରୁ ଅଭିଭାବକ ମାନେ ନିଜ ପିଲାକୁ ଆଣି ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା , ତୃତ୍ୱୀୟ ଓ ପଂଚମ ଶ୍ରେଣୀରେ ବୃତି ପରୀକ୍ଷାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅଧିକ କୃତକାର୍ଯ୍ୟ ଓ ମୋ ସ୍କୁଲ ଅଭିଯାନରେ ସମସ୍ତ ବିଦ୍ୟାଳୟର ଶତପ୍ରତିଶତ ଅଂଶଗ୍ରହଣ ଓ ତତସଙ୍ଗେସଙ୍ଗେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟଭିମୁଖୀ କରାଇବା ଏହି ଦିସା କାର୍ଯ୍ୟକ୍ରମର ମୁଳ ଲକ୍ଷ ଥିଲା । ଏହି ଉଦ୍ଦେଶ୍ୟକୁ ସଫଳ କରାଇବା ପାଇଁ ସମସ୍ତ ଏବିଇଓ , ସିଆରସିସିଙ୍କ ପ୍ରତେକ ମାସର ବୈଠକ ଏବଂ କ୍ଲଷ୍ଟର ସ୍ତରରେ ସମସ୍ତ ପ୍ରଧାନ ଶିକ୍ଷକଶିକ୍ଷୟତ୍ରୀଙ୍କ ମାସିକ ବୈଠକ , ଏସ.ଏମ.ସି ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଓ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ସରକାରୀ ବିଦ୍ୟାଳୟ ଗୁଡିକରେ ନାମଲେଖା ଅଭିବୃଦ୍ଧି ପାଇଁ ବିଜ୍ଞାପନ ପ୍ରକାଶ , ମୋ ସ୍କୁଲ ଅଭିଯାନ ଦ୍ୱାରା ଶ୍ରେଣୀ ଉପଯୋଗୀ ଡେସ୍କ କରିବା , ବିଦ୍ୟାଳୟ କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ଶିକ୍ଷତା ସାମଗ୍ରୀ ମେଳାର ଆୟୋଜନ , ପ୍ରତେକ ବିଦ୍ୟାଳୟରେ ନ୍ୟୁଟ୍ରିସନ ବଗିଚା ସୃଷ୍ଟି କରିବା , ଶିକ୍ଷକଶିକ୍ଷୟତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଡିଜିଟାଲ କଂଟେଂଟ ତିଆରି କରିବା ପାଇଁ ଆକର୍ଷିତ କରିବା ଏହିସବୁ ଥିଲା ଏହି ଦିସା କାର୍ଯ୍ୟକ୍ରମର ମୁଖ୍ୟ ପନ୍ଥା । ଏହି ସବୁ ଉଦ୍ଦେଶ୍ୟ ପୁରଣ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପୁର୍ଣ୍ଣ ସହଯୋଗ ମଧ୍ୟ ମିଳିଥିଲା । ଏହା ଦ୍ୱାରା ଗାଁରେ ଗାଁରେ ସରକାରୀ ବିଦ୍ୟାଳୟର ରୁପରେଖ ବଦଳି ଯାଇଥିଲା ଯାହା ଫଳରେ ଲୋକଙ୍କ ସରକାରୀ ବିଦ୍ୟାଳୟ ପ୍ରତି ସକାରାତ୍ମକ ମନୋଭାବ ଜାଗ୍ରତ ହୋଇଥିଲା । ବିଇଓ ପ୍ରଭାତୀ ମହାପାତ୍ର ତାଙ୍କର ପ୍ରତେକଟି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏହି ଶ୍ରେୟ ପ୍ରଦାନ କରିଛନ୍ତି । ଏହି ଅବସରରେ ଆଜି ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ସରକାର ଶିକ୍ଷ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ ସୁଭାଷ ଯୋଗଦେଇ ଶିକ୍ଷା ବିକାଶ ପାଇଁ ପ୍ରଶାସନିକ କ୍ଷେତ୍ରକୁ ସମୃଦ୍ଧ କରିବା ଓ ଓ ଶିକ୍ଷାବିଭାଗୀୟ ସମସ୍ତ ଅଧରକାରୀଙ୍କ ଆନ୍ତରିକତା ସହ ସମ୍ପୃକ୍ତି ପାଇଁ ଉଦବୋଧନ ଦେଇଥିଲେ । ଶ୍ରୀମତୀ ମହାପାତ୍ର ଜାତୀୟ ସ୍ତରରେ ଏହି ସମ୍ମାନ ପାଇ ଗଞାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ , ଗତଦିନର ଡିଇଓ ସନାତନ ପଣ୍ଡା ଓ ଅମୁଲ୍ୟ କୁମାର ପ୍ରଧାନ , ବର୍ତମାନର ଡିଇଓ ବିନିତା ସେନାପତି , ରଙ୍ଗେଇଲୁଣ୍ଡା ଶିକ୍ଷା ବିଭାଗ ଓ ଟିମର ପ୍ରତେକ ସଦସ୍ୟ ଓ ବନ୍ଧୁ ପରିବାର ବର୍ଗଙ୍କ ନିକଟରେ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
