ତାଣ୍ଡବ ରଚୁଛି ଦନ୍ତା ହାତୀ : ୬ ମାସ ଧରି ଲୋକେ ଭୟଭୀତ, ବନବିଭାଗ ଫେଲ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ୬ ମାସ ଧରି ତାଣ୍ଡବ ରଚୁଛି । ବ୍ଲକ ଅନ୍ତର୍ଗତ ପଣିସାପଡ଼ା, ବଡ଼ଚରଣେଶ୍ୱରପୁର, ହଦମୌଦ, ଚାଷୀପଡ଼ା ଆଦି ଗ୍ରାମରେ ହାତୀଟି ପଶି ଉପଦ୍ରବ କରୁଥିବା ସହ ବ୍ୟାପକ ଭଙ୍ଗାରୁଜା କରୁଥିବା ନଜରକୁ ଆସିଛି ।
ଜୁନ ମାସରେ ପଣିସାପଡ଼ା ଗ୍ରାମର ସାପ୍ତାହିକ ହାଟ, ଗତ ମାସ ବଡ଼ଚରଣେଶ୍ୱରପୁରର ସୀତାରାମ ଦଳେଇଙ୍କ ମାଟି ଘରର କାନ୍ଥକୁ ଭାଙ୍ଗିଥିବା ବେଳେ ସୋମବାର ରାତିରେ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଚାଷୀପଡ଼ା, ହଦମୌଦ, ନରଣପୁର ଆଦି ଗ୍ରାମକୁ ପଶିଥିଲା । ହାତୀଟିକୁ ଘଉଡ଼ାଇବା ପାଇଁ ଗାଁ ଲୋକଙ୍କୁ ନାକେଦମ୍ ହେବାକୁ ପଡ଼ିଛି । ତେବେ ଉକ୍ତ ହାତୀଟି ପଡ଼ୋଶୀ ମୟୁରଭଞ୍ଜ ଜିଲାର ଜଙ୍ଗଲ ଦେଇ କାନପୁର ବାଳିକା ଉଚ୍ଚ ବିଦ୍ୟାଳୟ ଦେଇ ପ୍ରଥମେ ଚାଷୀପଡ଼ା ବଜାର, ହଦମୌଦ ଗ୍ରାମରେ ପଶି ଏହି ଗ୍ରାମର ଗୌରହରି ପୁରୀଙ୍କ ଘର ଉପରକୁ ଶୁଣ୍ଢ ବଢ଼ାଇଥିଲା । ଏହା ଦେଖି ଗ୍ରାମବାସୀ ନିଆଁ ହୁଙ୍କା ଦ୍ୱାରା ହାତୀକୁ ଗ୍ରାମ ମଧ୍ୟରୁ ଘଉଡ଼ିବାକୁ ସକ୍ଷମ ହୋଇଥିଲେ । ଏହା ପରେ ସନ୍ଧ୍ୟା ସମୟରେ ହାତୀଟି ଅମର୍ଦ୍ଦାରୋଡ଼ ବାରିପଦା ଦେଇ ଯାଇଥିବା ମୁଖ୍ୟ ରାସ୍ତା ଦେଇ ଗେଟ୍ ବଜାର ପର୍ଯ୍ୟନ୍ତ ପହଞ୍ôଚ ରେଳ ଲାଇନ ଅତିକ୍ରମ କରିଥିଲା । ଗ୍ରାମବାସୀମାନେ କୌଶଳ କ୍ରମେ ହାତୀଟିକୁ କାନପୁର ଜଙ୍ଗଲ ମୁହାଁ ଲେଉଟାଇବାକୁ ସକ୍ଷମ ହୋଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ବାଇକ ଯୋଗେ ଆସି ପଇଁତରା ମାରିଥିଲେ । ତେବେ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜଘାଟ ବିଦ୍ୟୁତ ଗ୍ରୀଡ଼୍ରୁ ସମ୍ପ୍ରତି ଗ୍ରାମଗୁଡ଼ିକୁ ବିଦ୍ୟୁତ୍ ସରବରାହକୁ କଟା ଯାଇଥିଲା । ତେବେ ଗ୍ରାମବାସୀ ଏପଟେ ହାତୀର ଭୟ ସାଙ୍ଗକୁ ସେପଟେ ବିଦ୍ୟୁତ କାଟ୍ ପାଇଁ ଭୟଭୀତ ଥିବା ଜଣାଯାଇଛି । ୬ ମାସ ଧରି ଉକ୍ତ ହାତୀଟି ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରୁଥିବା ବେଳେ ବନବିଭାଗ ହାତୀ ଘଉଡ଼ାଇବାରେ ଫେଲ ମାରିଥିବା ଅଭିଯୋଗ ହୋଇଛି ।
