ଅଶରଫ ଘାନିଙ୍କ ବିମାନ ଅବତରଣ କରିବାକୁ ଦେଲା ନାହିଁ ତାଜିକସ୍ତାନ
କାବୁଲ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ରାଷ୍ଟ୍ରପତି ଅସରଫ ଘାନି ନିଜର ପଦ ତ୍ୟାଗ କରିଥିଲେ । ଏହା ସହିତ ସେ କାବୁଲ ଛାଡ଼ି ଚାଲିଯାଇଥିବା ବି ଜଣାପଡ଼ିଥିଲା। ପଦ ଛାଡ଼ି ଚାଲିଯିବା ପରେ ଅସରଫ ଘାନିଙ୍କୁ ତାଜିକସ୍ତାନରେ ରହିବାକୁ ଜଗା ମିଳି ନଥିବା ଜଣାପଡ଼ିଛି। ଅସରଫ ଘାନିଙ୍କ ବିମାନକୁ ତାଜିକସ୍ତାନ ନିଜ ଭୂମିରେ ଅବତରଣ କରିବାକୁ ଦେଇ ନଥିଲା। ଏହା ଅସରଫଙ୍କୁ ବଡ଼ ଝଟକା ଲାଗିଥିଲା। ସେବେଠାରୁ ଅଶରଫ ଘାନି ଓମାନରେ ଅଛନ୍ତି। ସେଠାରୁ ସେ ଆମେରିକା ଯାଇପାରନ୍ତି । ଆଫଗାନିସ୍ତାନର ସୁରକ୍ଷା ପରାମର୍ଶଦାତା ମୋହିତ ମଧ୍ୟ ଓମାନରେ ଘାନିଙ୍କ ସହ ଅଛନ୍ତି। ଅସରଫ ଘାନି ସୋସିଆଲ ମିଡିଆରେ କହିଥିଲେ କି, ସେ ଆଫଗାନିସ୍ତାନରେ ରକ୍ତପାତରୁ ବଞ୍ଚିବା ପାଇଁ ଦେଶ ଛାଡ଼ିଛନ୍ତି।
ସୂଚନା ଯେ, ଏବେ ବି ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । ଏହା ସହିତ ସହରକୁ ଯାଇଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ସହର ଭିତରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି । ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । ଗତ କିଛି ଦିନ ମଧ୍ୟରେ ତାଲିବାନ ଯୋଦ୍ଧାମାନେ ଦେଶର ଅଧିକାଂଶ ସ୍ଥାନ ସହିତ କାନ୍ଦାହାର, ହେରାଟ, ମଜାର-ଇ-ସରିଫ ଓ ଜାଲାଲାବାଦ ଭଳି ୨୫ରୁ ୩୪ଟି ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇ ଆଫଗାନିସ୍ତାନକୁ କବଜା କରିଥିଲେ।
