ପେଗାସସ୍ ମାମଲା : ତଦନ୍ତ ପାଇଁ ଗଠନ ହେବ କମିଟି
- କୌଣସି ଗୁଇନ୍ଦାଗିରି କିମ୍ବା ଫୋନ୍ ଟ୍ୟାପିଂ ହୋଇନାହିଁ : କେନ୍ଦ୍ର ସରକାର
ନୂଆଦିଲ୍ଲୀ : ପେଗାସସ୍ ମାମଲାକୁ ନେଇ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାରେ ଶୁଣାଣି ହୋଇଥିଲା । କୌଣସି ଅବୈଧ ଗୁଇନ୍ଦାଗିରି କରାଯାଇନଥିବା ସରକାର ସ୍ପଷ୍ଟୀକରଣ ରଖିଥିଲେ ।ଏହାସହ ବରିଷ୍ଠ ସାମ୍ବାଦିକ ଏନ ରାମଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଦାଖଲ ଆବେଦନରେ ହୋଇଥିବା ଅଭିଯୋଗକୁ ସିଧାସଳଖ ଭାବେ ମନା କରିଥିଲେ । ସେହିପରି ଏହି ଘଟଣାର ଯାଞ୍ଚ ଏବେ ସ୍ୱତନ୍ତ୍ର କମିଟି ଦ୍ୱାରା କରାଯିବା ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ସରକାର କମିଟି ଗଠନ ବାବଦରେ ଘୋଷଣା ସହ କୌଣସି ଗୁଇନ୍ଦାଗିରି କିମ୍ବା ଫୋନ୍ ଟ୍ୟାପିଂ ହୋଇନଥିବା ପୁଣିଥରେ କହିଛନ୍ତି । ଆହୁରି ମଧ୍ୟ ସରକାର କୋର୍ଟରେ ଦୁଇପୃଷ୍ଠାର ସ୍ପଷ୍ଟୀକରଣ ଦାଖଲ କରିଛନ୍ତି ।
ସୂଚନା ଯେ, ପେଗାସସ ମାମଲା ଆସିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ଅଡୁଆ ବଢିଥିଲା । ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ, ସରକାର ପେଗାସସ ସଫ୍ଟଓୟାରକୁ ବ୍ୟବହାର କରି ବେଆଇନ ଭାବେ ଗୁଇନ୍ଦାଗିରି କରୁଛନ୍ତି । ଯେଉଁମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କ ମଧ୍ୟରେ ସାମ୍ବାଦିକ, ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା ଓ ନ୍ୟାୟପାଳିକାରେ ଜଡିତ ଥିବା ଅନେକ ବ୍ୟକ୍ତି ରହିଥିଲେ । ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରେ ଗତ ୧୦ ତାରିଖରେ ଏହି ମାମଲାରେ ଶୁଣାଣି ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଯାଞ୍ଚ ନେଇ ଦାଖଲ କିଛି ଆବେଦନ ଉପରେ ଟିପ୍ପଣୀ ଦେଇ ଅନୁଶାସନ ଓ ନ୍ୟାୟପାଳିକା ଉପରେ ବିଶ୍ୱାସ ରଖିବା ଜରୁରୀ ବୋଲି କହିଥିଲେ ।
