ଟି-୨୦ ବିଶ୍ୱକପ୍ : ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
- ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିଲା ସୁଯୋଗ
ଦୁବାଇ : ଆଜି ଟି-୨୦ ବିଶ୍ଵ କପ୍ର ବଡ଼ ମୁକାବିଲା । ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଦୁଇ ଦଳ ପ୍ରସ୍ତୁତ ଏବଂ ଷ୍ଟାଡିୟମକୁ ଦର୍ଶକଙ୍କ ଆଗମନ ହେବାରେ ଲାଗିଛି। ରବିବାର ସନ୍ଧ୍ୟା ୭ଟା ୩୦ରେ ମୁହାମୁହିଁ ହେବେ ଭାରତ-ପାକିସ୍ତାନ। ଟସ୍ ଜିତି ପାକିସ୍ତାନର ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳର ବିଶ୍ଵ କପରେ ଏହା ପ୍ରଥମ ମ୍ୟାଚ୍। ତେଣୁ ଉଭୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। ଭାରତୀୟ ଚୂଡାନ୍ତ ଏକାଦଶରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସୁଯୋଗ ମିଳିନି।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଉଥିବା ବିଶ୍ୱକପ୍ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍ ମ୍ୟାଚ ପାଇଁ ଟସ୍ ପଡ଼ିଛି। ପାକିସ୍ତାନ ଟସ୍ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତ-ପାକିସ୍ତାନ ମୁକାବିଲାକୁ ନେଇ କେବଳ ଏସିଆ ମହାଦେଶ ନୁହେଁ ସମଗ୍ର ବିଶ୍ୱର କ୍ରିକେଟ୍ ଜଗତ ଉତ୍ସାହିତ। ବିଶ୍ୱ କ୍ରିକେଟ୍ରେ ଏହି ଦୁଇ ଦଳ ବେଶ୍ ଲୋକପ୍ରିୟ। ଅତୀତ ପରିସଂଖ୍ୟାନ ସହ ଦଳର ଅଭିଜ୍ଞତା ଏବଂ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ପାକିସ୍ତାନଠାରୁ ଭାରତ ଢେର ଆଗରେ ରହିବ। ଦୁବାଇରେ ଆଇପିଏଲ୍ ଖେଳି ଭାରତୀୟ ଖେଳାଳିମାନେ ମଧ୍ୟ ନିଜ ନିଜ ଦକ୍ଷତାକୁ ଆହୁରି ଶାଣିତ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇନି। ଅବଶ୍ୟ ଦୁବାଇରେ ଖେଳିବାର ଢେର ଅଭିଜ୍ଞତା ଏବେକାର ପାକିସ୍ତାନ ଦଳ ଓ ଖେଳାଳିଙ୍କର ବି ରହିଛି। ଉଭୟ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି।
ଭାରତୀୟ ଦଳ :
ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ବରୁଣ ଚକ୍ରବର୍ତ୍ତୀ ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।
ପାକିସ୍ତାନ ଦଳ :
ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ, ଫକର ଜମାନ, ମହମ୍ମଦ ହାଫିଜ, ସୋଏବ ମଲିକ, ଆସିଫ ଅଲ୍ଲୀ, ଇମାଦ ଓ୍ଵାସିମ, ଶାଦାବ ଖାନ, ଶାହିନ ଆଫ୍ରିଦି, ହସନ ଅଲ୍ଲୀ, ହରିଶ ରଉଫ।
