ଟି-୨୦ ରାଙ୍କିଙ୍ଗ : ଶ୍ରେଷ୍ଠ ୧୦ରେ କୋହଲି ଓ ରାହୁଲ
ଦୁବାଇ : ଇନ୍ଟରନାଶନାଲ୍ କ୍ରିକେଟ୍ କାଉନ୍ସିଲ୍ ବା ଆଇସିସି ଟି-୨୦ ସିରିଜ୍ରେ ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଏବଂ ବେଷ୍ଟ ବୋଲରଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତୀୟ କ୍ରିକେଟ୍ ଟିମ୍ର କ୍ୟାପଟେନ୍ ବିରାଟ କୋହଲି ଚତୁର୍ଥ ସ୍ଥାନରେ ଥିବା ବେଳେ ଷ୍ଟାର ବ୍ୟାଟ୍ସ ମ୍ୟାନ କେଏଲ୍ ରାହୁଲ ଷଷ୍ଠ ସ୍ଥାନରେ ରହିଛନ୍ତି । ହେଲେ ଶ୍ରେଷ୍ଠ ୧୦ ଭିତରେ କୌଣସି ବୋଲର ସ୍ଥାନ ପାଇନାହାନ୍ତି । ଇଂଲଣ୍ଡ ଖେଳାଳି ଡେଭିଡ୍ ମଲାନ ବର୍ତମାନ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ସହିତ ୭ ଖେଳାଳି ସେମାନଙ୍କର ପୂର୍ବ ସ୍ଥାନ ବଜାୟ ରଖିଛନ୍ତି । ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ୱିକେଟ୍ ରକ୍ଷକ ତଥା ବ୍ୟାଟ୍ସମ୍ୟାନ କ୍ୱିଂଟନ୍ ଡି କକ୍ ଅଷ୍ଟମ ସ୍ଥାନରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍ ଖେଳାଳି ଡୱିନ୍ ଲୁଇସ୍ ଏହି ସୂଚୀର ନବମ ସ୍ଥାନକୁ ଖସି ଆସିଛନ୍ତି ।
ସେହିପରି ବୋଲିଂରେ ତବରେଜ୍ ଶମ୍ସି ପୂର୍ବ ସ୍ଥାନ ବଜାୟ ରଖିବା ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପରେ ପରେ ଭାନିନ୍ଦୁ ହସରଙ୍ଗା ଏବଂ ରାସିଦ ଖାନ ରହିଛନ୍ତି । ବୋଲରଙ୍କ ତାଲିକାରେ ଭାରତୀୟ ଖେଳାଳି ୧୨ ନମ୍ୱର ସ୍ଥାନରେ ରହିଛନ୍ତି । ଭାରତୀୟ ପେସ୍ ବୋଲର ଭୁବନେଶ୍ୱର କୁମାର ଏହି ସ୍ଥାନରେ ରହିଛନ୍ତି । ତାଙ୍କପରେ ସ୍ପିନର୍ ୱାଶିଂଟନ୍ ସୁନ୍ଦର ୧୮ ନମ୍ୱର ସ୍ଥାନରେ ରହିଛନ୍ତି । ସେହିପରି ୟୁଜବେନ୍ଦ୍ର ଚହଲ୍ଙ୍କ ଖେଳରେ ସୁଧାର ଆସିଥିବା ଦେଖିବାକୁ ମିଳିଛି । ସେ ତାଲିକାର ୨୫ ନମ୍ୱର ସ୍ଥାନରେ ରହିଥିବା ବେଳେ ଟି-୨୦ ବିଶ୍ୱ କପ୍ରେ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇନାହିଁ । ତେବେ ଅଲ୍ରାଉଣ୍ଡର ସୂଚୀରେ ଶ୍ରେଷ୍ଠ ୨୦ ଜଣ ଖେଳାଳିଙ୍କ ଭିତରେ ଏକମାତ୍ର ଭାରତୀୟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । କିନ୍ତୁ ସେ ମୁଖ୍ୟ ତାଲିକାରେ ୯୮ ସ୍ଥାନରେ ରହିବା ସହିତ ଶହେ ଜଣଙ୍କ ଭିତରେ ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।
