ଟି-୨୦ ବିଶ୍ୱକପ୍ ପରେ ଇସ୍ତଫା ଦେବେ ରବି ଶାସ୍ତ୍ରୀ!
ନୂଆଦିଲ୍ଲୀ : ଭାରତୀୟ ପୁରୁଷ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କଂଟ୍ରାକ୍ଟ ଆଇସିସି ଟି-୨୦ ବିଶ୍ୱ କପ୍ ପରେ ଶେଷ ହେବାକୁ ଯାଉଛି । ଖବର ଏହା ମଧ୍ୟ ରହିଛି ଯେ, ଶାସ୍ତ୍ରୀ ଟି-୨୦ ବିଶ୍ୱ କପ୍ ସରିବା ମାତ୍ରେ ନିଜ ପଦରୁ ଇସ୍ତଫା ଦେବେ । ସେ ଭାରତୀୟ କ୍ରିକେଟ୍ କେଂଟ୍ରାଲ ବୋର୍ଡ (ବିସିସିଆଇ)ଠୁ ଆଉ ସମୟ ମାଗିବେ ନାହିଁ । ଏହା ବ୍ୟତୀତ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ଚୁକ୍ତି ଅବଧି ବୃଦ୍ଧି କରାଯାଇପାରେ । ଖବର ଏହା ମଧ୍ୟ ରହିଛି ଯେ, ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ନିଜ ପଦରେ ରହି ପାରନ୍ତି ।
ଏକ ରିପୋର୍ଟ ଅନୁଯାୟୀ, ଶାସ୍ତ୍ରୀ ନିଜ ନିଷ୍ପତି ବିଷୟରେ ବିସିସିଆଇକୁ ଅବଗତ କରାଇ ସାରିଛନ୍ତି । ନିଜର କଂଟ୍ରାକ୍ଟ ସରିବା ମାତ୍ରେ ସେ କୋଚ୍ ପଦରୁ ଇସ୍ତଫା ଦେବେ । ଖବର ଅନୁଯାୟୀ, ବିସିସିଆଇ ନୂତନ କୋଚ୍କୁ ନେଇ ଆଲୋଚନା ଆରମ୍ଭ କରି ଦେଇଛି । ଶୀଘ୍ର ଏହି ପଦ ପାଇଁ ଆବେଦନ ମଗା ଯାଇପାରେ । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ସବୁଠୁ ଅଧିକ ଚର୍ଚ୍ଚା ଯେଉଁ ନାମକୁ ନେଇ ହେଉଛି, ସେ ହେଉଛନ୍ତି ରାହୁଲ ଦ୍ରାବିଡ । ଦ୍ରାବିଡ ସଂପ୍ରତି ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ମୁଖ୍ୟ । କିନ୍ତୁ ନିକଟରେ ଶ୍ରୀଲଙ୍କା ଗସ୍ତରେ ସେ ଦଳର କୋଚ୍ ହୋଇ ଯାଇଥିଲେ । ଶ୍ରୀଲଙ୍କା ଗସ୍ତରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିଥିଲା । ସେହି ସମୟରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିଲା । ରବି ଶାସ୍ତ୍ରୀ ଦଳ ସହ ଇଂଲଣ୍ଡରେ ଥିଲେ ଏବଂ ସୀମିତ ଓଭର ସିରିଜ୍ ପାଇଁ ଶିଖର ଧାୱନଙ୍କୁ ଅଧିନାୟକ ଏବଂ ରାହୁଲ ଦ୍ରାବିଡଙ୍କ କୋଚ୍ କରାଯାଇଥିଲା ।
