ଟି-୨୦ ବିଶ୍ବକପ୍ : ୟୁଏଇକୁ ୭୯ରନରେ ହରାଇଲା ଶ୍ରୀଲଙ୍କା
ମେଲବର୍ଣ୍ଣ : ଅଷ୍ଟ୍ରେଲିଆର ଗିଲଙ୍ଗ ସ୍ଥିତ ସାଇମଣ୍ଡ ଷ୍ଟାଡିୟମଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପ ଗ୍ରୁପ-ଏର ଏକ ମ୍ୟାଚରେ ୟୁଏଇକୁ ୭୯ ରନରେ ହରାଇଛି ଶ୍ରୀଲଙ୍କା । ନାମିବ୍ୟା ଠାରୁ ପ୍ରଥମ ମ୍ୟାଚ୍ ହାରିଥିବା ଏସିଆ ଚାମ୍ପିୟନ ଶ୍ରୀଲଙ୍କା ୟୁଏଇ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି । ଶ୍ରୀଲଙ୍କାର ଏହା ପ୍ରଥମ ବିଜୟ ।
ଆଜିର ମ୍ୟାଚରେ ୟୁଏଇ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ୟୁଏଇ ପକ୍ଷରୁ ସ୍ପିନ ବୋଲର କାର୍ତ୍ତିକ ମେଇୟାପ୍ପନ ହ୍ୟାଟ୍ରିକ ୱିକେଟ ନେଇଥିଲେ ମଧ୍ୟ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା। ଦଳ ପକ୍ଷରୁ ପଥୁମ ନିଶାଙ୍କା ୬୦ ବଲରେ ୭୪ ରନ କରିଥିବା ବେଳେ କୁଶଲ ମେଣ୍ଡିସ ୧୮ ଓ ଧନଞ୍ଜୟ ଡି’ସିଲଭା ୨୧ ବଲରେ ୩୩ ରନ କରିଥିଲେ। ଏହି ୩ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଶେଷରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିବାକୁ ସକ୍ଷମ ହୋଇଥିଲା।
୧୫୩ ରନର ଲକ୍ଷ୍ୟ ପାଇଥିବା ୟୁଏଇ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଚାଲିଥିଲା। ଶେଷରେ ପୂରା ଟିମ୍ ମାତ୍ର ୭୩ ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ୪ ଓଭରରେ ୮ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। ତାଙ୍କ ବ୍ୟତୀତ ଦୁଷ୍ମନ୍ତ ଚାମିରା ମଧ୍ୟ ୩ ସଫଳତା ପାଇଛନ୍ତି। ମହୀଶ ତିକସାନାଙ୍କୁ ୨ଟି, ପ୍ରମୋଦ ମଧୁଶାନ ଓ ଦସୁନ ଶଣକାଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି। ୟୁଏଇର ଚିରାଗ ସୁରି(୧୪), ଆୟନ ଅଫଜଲ ଖାନ(୧୯) ଓ ଶେଷ ଭାଗରେ ଜୁନେଦ ସିଦ୍ଦିକି ୧୮ ରନର ଇନିଂସ ଖେଳିଛନ୍ତି। ଏମାନଙ୍କୁ ଛାଡ଼ି ଦେଲେ ଆଉ କୌଣସି ୟୁଏଇ ବ୍ୟାଟର ଶ୍ରୀଲଙ୍କା ବୋଲରଙ୍କ ମୁକାବିଲା କରିପାରି ନଥିଲେ। ଶେଷରେ ପୂରା ଟିମ୍ ୧୭.୧ ଓଭରରେ ୭୩ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଶ୍ରୀଲଙ୍କା ୭୯ ରନରେ ମ୍ୟାଚ୍କୁ ଜିତି ନେଇଛି।
