କରୋନାର ତୃତୀୟ ଲହରରେ ଗଳା ବଥାରୁ ଆରମ୍ଭ ହେଉଛି ଲକ୍ଷଣ! ଆଉ ତାପରେ ହେଉଛି ଏହିସବୁ ଅସୁବିଧା
ଦେଶରେ ବ୍ୟାପିବାକୁ ଲାଗିଛି କରୋନାର ନୂଆ ରୂପ ଓମିକ୍ରନ୍। ତେବେ, ଆଗ ଅପେକ୍ଷା ଅଧିକ ସଂକ୍ରାମକ ହୋଇଥିବା ଏହି ନୂତନ ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଥିବା ଲୋକମାନଙ୍କ ଠାରେ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳୁଛି। ବିଶେଷଜ୍ଞମାନଙ୍କ କହିବା ମୁତାବକ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଲେ ଗଳା ବଥାରୁ ହିଁ ଲକ୍ଷଣ ଆରମ୍ଭ ହେଉଛି। ଏଥିସହିତ ମୁଣ୍ଡ ବିନ୍ଧା, ହାତ ଗୋଡ଼ ଦରଜ ଭଳି ଲକ୍ଷଣ ଦେଖିବାକୁ ମିଳୁଛି।

ଏହି ଭ୍ୟାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିଲେ ହେଁ ଏହା ମଣିଷକୁ ଅଧିକ ଗୁରୁତର କରାଉ ନାହିଁ। ସଂକ୍ରମିତ ହେଉଥିବା ଲୋକଙ୍କ ଭିତରେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁନାହିଁ। ଏପରିକି ସଂକ୍ରମିତଙ୍କ ଠାରେ ମାତ୍ର ୨-୩ ଦିନ ହିଁ ଲକ୍ଷଣ ଦେଖାଦେଉଛି। ଲୋକଙ୍କ ଠାରେ ଏହା ଗଳା ଦରଜ ହେବା ଲକ୍ଷଣଠାରୁ ଆରମ୍ଭ ହେଉଥିବା ବେଳେ କେତେକ ମାମଲାରେ ସଂକ୍ରମିତଙ୍କ ଠାରେ ଥଣ୍ଡା ଜର ଲକ୍ଷଣ ବ୍ୟତୀତ ପେଟ କାଟିବା ଏବଂ ଝାଡ଼ା ବାନ୍ତି ହେବାପରି ଲକ୍ଷଣ ଦେଖିବାକୁ ମିଳୁଛି।

ତେବେ, କରୋନା ଟୀକା ନେଇ ସାରିଥିବା ଲୋକମାନଙ୍କ ଠାରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଟୀକା ନେଇଥିଲେ ହେଁ ଲୋକେ କରୋନା ଦ୍ୱାରା ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୧୦ ହଜ଼ାର ଟପିଯାଇଥିବା ବେଳେ କୋଭିଡ଼ ନିୟମ ପାଳନ କରିବା ପାଇଁ ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି। କିଡ୍ନି, ଯକୃତ, ଫୁସ୍ଫୁସ୍, ଡାଇବେଟିସ୍ ରୋଗୀ କରୋନାରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
