ବାଲେଶ୍ୱର ମେଡିକାଲରେ ବୁଲିଲା ଖଣ୍ଡା : ଅଳ୍ପକେ ବର୍ତ୍ତିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପର
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୁଲିଲା ଖଣ୍ଡା । ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ । ତେଲେଙ୍ଗା କଟୁରୀ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପରଙ୍କୁ ଆକ୍ରମଣ । ଏଥିରେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଥିବାବେଳେ ୧୦୮ ଆମ୍ବୁଲାନ୍ସର କାଚ ଓ ଟାୟାର ନଷ୍ଟ ହୋଇଛି । ଖବରପାଇ ପୋଲିସ ପହଞ୍ôଚବା ପୂର୍ବରୁ ଆକ୍ରମଣକାରୀ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାର ଜଣାପଡ଼ିଛି ।
ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ସନ୍ଧ୍ୟା ସମୟରେ ଜଣେ ୧୦୮ଆମ୍ବୁଲାନ୍ସର ଡ୍ରାଇଭର ରୋଗୀ ଆଣି ଆସିଥିଲେ । ରୋଗୀ ଜଣକୁ ମା’ ଓ ଶିଶୁ ବିଭାଗରେ ଛାଡ଼ି ୱାର୍ଡ଼ ଆଗରେ ଛିଡ଼ା ହୋଇଥିଲା ବେଳେ ଏହି ସମୟରେ ଏକ ଘରୋଇ ଆମ୍ବୁଲାନ୍ସ (ନଂ. ଓଡ଼ି-୦୧ଇ-୬୯୨୦) ଆସିଥିଲା । ସେଥିରୁ ଡ୍ରାଇଭର ଜଣ ଓହ୍ଲାଇ ୧୦୮ରେ ଥିବା ଡ୍ରାଇଭର ଶଶିକାନ୍ତ ଦାସ ଓ ହେଲପରକୁ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଆକ୍ରମଣକାରୀ ଜଣକ ପ୍ରଥମେ ୧୦୮ର ଆଗ କାଚକୁ ତେଲେଙ୍ଗା କଟୁରୀରେ ହାଣିଥିଲା ପରେ ଗାଡ଼ିର ଟାୟାରକୁ ହାଣିଥିଲା । ପରେ ଶଶୀକାନ୍ତଙ୍କୁ ଆକ୍ରମଣ କରିବାରୁ ସେ ଓ ହେଲପର ସେଠାରୁ ଦଉଡ଼ି ହସ୍ପିଟାଲ ଫାଣ୍ଡିକୁ ପଳାଇ ଯାଇଥିଲେ । ପୋଲିସ ଆସି ସେଠାରେ ପଡ଼ିଥିବା ଏକ ତେଲେଙ୍ଗା କଟୁରୀ ଓ ଦୁର୍ବୃତ୍ତର ଜୋତାକୁ ଜବତ କରିଛି । ଏଥିସହିତ ଘଟଣାସ୍ଥଳରେ ଲାଗିଥିବା ସିସି କ୍ୟାମେରାକୁ ବର୍ତ୍ତମାନ ପୋଲିସ ଯାଞ୍ଚ କରି ତଦନ୍ତ ଜାରି ରଖିଛି । ଏନେଇ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଶଶୀକାନ୍ତ ହସ୍ପିଟାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଯେ, ହସ୍ପିଟାଲ ଭିତରେ ପ୍ରାଇଭେଟ ଆମ୍ବୁଲାନ୍ସ ରହିବା ଫଳରେ ଅନେକ ସମୟରେ ଗଣ୍ଡଗୋଳ ହେଉଛି । ଏପରିକି ପ୍ରାଇଭେଟ ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ମାନେ ରାତିରେ ବିଭିନ୍ନ ପ୍ରକାର ଆସାମାଜିକ କାର୍ଯ୍ୟ କରିବାସହ ରୋଗୀମାନଙ୍କର ମୋବାଇଲ ନେଇଯିବା ଓ ସେମାନଙ୍କର ପଇସା ପତ୍ର ନେଇଯିବା ଭଳି ଅନେକ ନଜିର ଆଗରୁ ମଳିଛି । ପ୍ରାଇଭେଟ ଆମ୍ବୁଲାନ୍ସ ଗୁଡ଼ିକୁ ହସ୍ପିଟାଲ ଭିତରକୁ ନ ପୁରାଇବାକୁ ସାଧାରଣରେ ଦାବି ହେଉଛି ।
