ଆଜି ଦିଗପହଣ୍ଡିରେ ହେବ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର
ଭୁବନେଶ୍ୱର : ଆଜି ଦିଗପହଣ୍ଡିରେ ହେବ ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅନ୍ତିମ ସଂସ୍କାର । ଭୁବନେଶ୍ବରରୁ ପାର୍ଥିବ ଶରୀରକୁ ଗଞ୍ଜାମ ଜିଲା ଦିଗପହଣ୍ଡି ନିଆଯିବ । ପରେ ସେଠାରେ ଅପରାହ୍ନ ୩ଟାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରିବା ପରେ ମରଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଶେଷ ଦର୍ଶନ କରିବେ ଦଳୀୟ ନେତା, ମନ୍ତ୍ରୀ, ବିଧାୟକ ଏବଂ କର୍ମକର୍ତ୍ତା । ସେଠାରୁ ମରଶରୀରକୁ ବିଧାନସଭା ନିଆଯିବ। ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମରଶରୀରକୁ ନିଆଯିବ ଦିଗପହଣ୍ଡି ।
ଅନ୍ୟପକ୍ଷରେ ବରିଷ୍ଠ ନେତାଙ୍କ ବିୟୋଗ ପରେ ପରିବାର ଲୋକେ ତାଙ୍କ ଚକ୍ଷୁ ଦାନ କରିଥିବା ସୂଚନା ମିଳିଛି। ତାଙ୍କର ଗୋଟିଏ ପଟ ଚକ୍ଷୁ ଦାନ କରାଯାଇଛି। ବଞ୍ଚିଥିବା ବେଳେ ସୂର୍ଯ୍ୟ ଚକ୍ଷୁ ଦାନ କରିବାକୁ କହିଥିଲେ। ମୃତ୍ୟୁ ପରେ ବଡ଼ ପୁଅ ବିପ୍ଳବ ପାତ୍ରଙ୍କ ଅନୁମତି ପରେ ଭୁବନେଶ୍ୱର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ତାଙ୍କର ଆଖି ସଂଗ୍ରହ ହୋଇଛି । ବର୍ତ୍ତମାନ ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି।
ତେବେ ଗଞ୍ଜାମ ଜିଲାର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କର ୭୫ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୭ଟା ୩୧ରେ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
