ଶେଷ ଇଚ୍ଛା ମୁତାବକ ମୃତ୍ୟୁ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚକ୍ଷୁ ଦାନ, ଆଜି ଅନ୍ତିମ ସଂସ୍କାର
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଶନିବାର ପରଲୋକ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଶ୍ରୀ ପାତ୍ର। ବରିଷ୍ଠ ନେତାଙ୍କ ବିୟୋଗ ପରେ ପରିବାର ଲୋକେ ତାଙ୍କ ଚକ୍ଷୁ ଦାନ କରିଥିବା ସୂଚନା ମିଳିଛି। ତାଙ୍କର ଗୋଟିଏ ପଟ ଚକ୍ଷୁ ଦାନ କରାଯାଇଛି।
ବଞ୍ଚିଥିବା ବେଳେ ସୂର୍ଯ୍ୟ ଚକ୍ଷୁ ଦାନ କରିବାକୁ କହିଥିଲେ। ମୃତ୍ୟୁ ପରେ ତାଙ୍କ ଝିଅଙ୍କ ଠାରୁ ଅନୁମତି ଆଣି ତାଙ୍କ ଚକ୍ଷୁ ବାହାର କରାଯାଇଛି। ବର୍ତ୍ତମାନ ଏହା ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି। ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।
ସୂର୍ଯ୍ୟନାରାୟଣ ପାତ୍ରଙ୍କ ମରଶରୀର ଗତ ଶନିବାର ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥିଲା। ମୃତ୍ୟୁ ପରେ ତାଙ୍କର ଦୁଇଟି ଯାକ ଚକ୍ଷୁ ଦାନ କରି ଦେବାକୁ ସେ କହିଥିଲେ। ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା । ଏକ ଡାକ୍ତରୀ ଟିମ୍ ଦିବଂଗତ ନେତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ। ଆଖିର ମାନ ପରୀକ୍ଷା କରାଯିବା ସହ ଅନ୍ୟାନ୍ୟ ପ୍ରକ୍ରିୟା ପୂରଣ ପରେ ଆବଶ୍ୟକ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କଠାରେ ସେଗୁଡ଼ିକୁ ପ୍ରତିରୋପଣ କରାଯିବ।
