ପାକିସ୍ତାନରେ ଉପୁଜିଥିବା ରାଜନୈତିକ ଅସ୍ଥିରତା ପ୍ରସଙ୍ଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
ଇସଲାମାଵାଦ : ପାକିସ୍ତାନରେ ଉପୁଜିଥିବା ରାଜନୈତିକ ଅସ୍ଥିରତା ପ୍ରସଙ୍ଗରେ ଆଜି ଶୁଣାଣି କରିବେ ପାକ୍ ସୁପ୍ରିମକୋର୍ଟ | ପାକିସ୍ତାନ ସଂସଦ ଭଙ୍ଗ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆଇନସମ୍ମତ ନା ବେଆଇନ ସେ ନେଇ କୋର୍ଟ ଦେବା ରାୟ | ଗତକଲି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆସିଥବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଖାରଜ୍ କରିଥିଲେ | ଏହା ପରେ ଇମ୍ରାନ ଖେଳିଥିଲେ ମାଷ୍ଟର ଷ୍ଟ୍ରୋକ | ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନିଜର ସଂସଦକୁ ଭଙ୍ଗ କରିବାକୁ ପରାମର୍ଶ ଦେଇଥିଲେ ଇମ୍ରାନ | ତାଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ପାକିସ୍ତାନ ସଂସଦ ଭଙ୍ଗ କରିବା ନେଇ ବଡ ପଦକ୍ଷେପ ନେଇଥିଲେ | ପରେ ବିରୋଧୀ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ |
ସଂସଦରେ ଘଟିଥିବା ଏହି ଘଟଣାକୁ ନେଇ ନିଜ ଆଡୁ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି | ଏନେଇ ସୁପ୍ରିମକୋର୍ଟ ପକ୍ଷରୁ ସମସ୍ତ ରାଜନୈତିକ ଦଳ ସମେତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ନେସନାଲ ଆସେମ୍ବ୍ଲିର ବାଚସ୍ପତି ଓ ଉପବାଚସ୍ପତିଙ୍କୁ ନୋଟିସ ପଠାଯାଇଛି | ତେବେ ଆଜି ସଂସଦ ଭଙ୍ଗ ନିଷ୍ପତ୍ତିର ବୈଧତା ବିଚାର କରିବେ ସୁପ୍ରିମକୋର୍ଟ | ଏ ସବୁ ଭିତରେ ଇମ୍ରାନ ଏକ ଆମେରିକା ନରେ ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତି ଯେ ତାଙ୍କୁ ଗାଦିରୁ ହାଟେଇବା ପାଇଁ ପାଇଁ ଷଡଯନ୍ତ୍ର କରିଛି ଆମେରିକା | ସେପଟେ ଇମ୍ରାନ ଖାନ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନାହାନ୍ତି ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଠାକାର ଅତିରିକ୍ତ କ୍ୟାବିନେଟ ସଚିବ | ସେ କହିଛନ୍ତି, ଇମ୍ରାନଙ୍କୁ କାର୍ଯ୍ୟଭାରରୁ ମୁକ୍ତ କରାଯାଇଛି | ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ରାୟ ଉପରେ ରହିଛି | ଯଦି ସଂସଦ ଭଙ୍ଗ ଅବୈଧ ପ୍ରମାଣ ହୁଏ ତେବେ ଇମ୍ରାନଙ୍କ ଉପରେ କୋର୍ଟ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଏବେ ଦେଖିବାକୁ ବାକି ରହିଲା |
