ଓକିଲ ଆନ୍ଦୋଳନ ରୋକିବାରେ ବିଫଳ ରାଜ୍ୟ ପୋଲିସ୍ – ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନ ନେଇ ସୋମବାର ସୁପ୍ରିମକୋର୍ଟ ଓଡିଶା ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଓକିଲ ଆନ୍ଦୋଳନ ପ୍ରତିହତ କରିବାରେ ଯଦି ଓଡ଼ିଶା ପୁଲିସ ବିଫଳ, ତେବେ ଆମକୁ ଜଣାନ୍ତୁ । ଆମେ କେନ୍ଦ୍ରୀୟ ଫୋର୍ସର ବ୍ୟବସ୍ଥା କରିବୁ । ଏହାଛଡ଼ା ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡିଓ କନଫରେନସିଂରେ ବୁଧବାର ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ଆନ୍ଦୋଳନ ରୋକିବାରେ କାହିଁକି ବିଫଳ ହେଲା ସେହି ବିଷୟରେ ସବିଶେଷ ତଥ୍ୟ ରଖିବାକୁ କହିପାରନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ, ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟ ବେଂଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଥିବା ଓକିଲମାନଙ୍କ ଲାଇସେନ୍ସ ସସପେଣ୍ଡ୍ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସୋମବାର ‘ସତ୍ୟାଗ୍ରହ’ ପାଳନ କରାଯାଇଥିଲା । ଆନ୍ଦୋଳନକାରୀମାନେ ସଂଘବଦ୍ଧ ହୋଇ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ ଆନ୍ଦୋଳନକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ । ତଥାପି ଆନ୍ଦୋଳନକାରୀମାନେ କୋର୍ଟ ଭିତରକୁ ପ୍ରବେଶ କରିଥିଲେ ଓ ବିଚାରପତିଙ୍କୁ କୋର୍ଟ କାର୍ଯ୍ୟ କରିବାକୁ ବାରଣ କରିଥିଲେ । ଏପରିକି ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୁଶପୁତଳିକା ଦାହ କରିଥିଲେ ।
