ଚଣ୍ଡୀମନ୍ଦିର ନବୀକରଣ କାର୍ଯ୍ୟ ତଦାରଖ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହେବେ ସେବାୟତ ଖୁବ୍ ଶୀଘ୍ର ଆରମ୍ଭ ହେବ ଷ୍ଟ୍ରଙ୍ଗରୁମ୍ ନିର୍ମାଣ କାର୍ଯ୍ୟ
କଟକ : ଚଣ୍ଡୀମନ୍ଦିର ବିକାଶ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିଲା ବେଳେ ଆସନ୍ତା ୧୦ ଦିନ ଭିତରେ ମନ୍ଦିର ପରିସରରେ ଥିବା ସେବାୟତଙ୍କୁ ସାମୟିକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏତଦ୍ବ୍ୟତୀତ ମନ୍ଦିର ପରିସରରେ ଅସ୍ଥାୟୀ ଭାବେ ଷ୍ଟ୍ରଙ୍ଗରୁମ ନିର୍ମାଣ କରାଯାଇ ସାମ୍ନା ବ୍ଲକ୍କୁ ଭଙ୍ଗାଯିବ ବୋଲି ପ୍ରୋଗ୍ରାମ୍ ଇମ୍ପ୍ଲିମେଣ୍ଟେସନ କମିଟିର ଅଧ୍ୟକ୍ଷ ଅନୀଲ କୁମାର ସାମଲ କହିଛନ୍ତି । ଆଜି ପୂର୍ବାହ୍ନରେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଶ୍ରୀ ସାମଲ ଓ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ ଚଣ୍ଡୀମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ ସମୟରେ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏଥିମଧ୍ୟରେ ସେଠାରେ ଥିବା ପୁରୁଣା ଢାଞ୍ଚାର ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇ ଜିନିଷପତ୍ରଗୁଡିକର ସ୍ଥାନାନ୍ତର କରାଯାଇଛି । ତେବେ ଆସନ୍ତା କାଲିଠାରୁ ମନ୍ଦିରର ଷ୍ଟ୍ରଙ୍ଗ ରୁମ୍ର ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ସେଠାରେ ରହୁଥିବା ସେବାୟତଙ୍କୁ ମଧ୍ୟ ନିକଟରେ ଥିବା ଏକ ଘରେ ସାମୟିକ ଭାବେ ରହିବାର ବ୍ୟବସ୍ଥା କରାଯିବ । ଏହାପରେ ସାମନା ବ୍ଲକ୍ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ । ମନ୍ଦିର ପରିସରର ଖୋଲା ମଣ୍ଡପରେ ଏକ କାନ୍ଥ ନିର୍ମାଣ କରାଯାଇ ଅସ୍ଥାୟୀ ଭାବେ ଷ୍ଟ୍ରଙ୍ଗରୁମ୍ କରାଯିବ । ଏସବୁ କାର୍ଯ୍ୟ ତଡିତ୍ ବେଗରେ ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ ଗଣମାଧ୍ୟମକୁ କହିଛନ୍ତି । ଆଜି ପୂର୍ବାହ୍ନରେ ଉଭୟ ଅଧିକାରୀ ଚଣ୍ଡୀମନ୍ଦିରରେ ପହଂଚି କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଧାର୍ଯ୍ୟ ସମୟରେ କାର୍ଯ୍ୟ ଶେଷ କରିବାକୁ ଉପସ୍ଥିତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବରୁ ଭଙ୍ଗା କାର୍ଯ୍ୟ ସହ ପାଇପ୍ ଲାଇନ୍ ସ୍ଥାନାନ୍ତର, ବିଦ୍ୟୁତ ଲାଇନ୍ ଟଣା ଓ ଡାଇଭର୍ସନ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ଏବେ ଯେପରି ଶୃଙ୍ଖଳିତ ଢଙ୍ଗରେ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବ ସେଥିପ୍ରତି ପ୍ରଶାସନ ଯଥେଷ୍ଟ ଯତ୍ନବାନ୍ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି । ପ୍ରକାଶ ଥାଉକି, ଅକ୍ଟୋବର ୧୪ରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚଣ୍ଡୀମନ୍ଦିର ବିକାଶ ପ୍ରକଳ୍ପ କାର୍ଯ୍ୟକୁ ଏକ ସପ୍ତାହ ମଧ୍ୟରେ ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ୨୦୨୩ ନଭେମ୍ବର ସୁଦ୍ଧା ପ୍ରକଳ୍ପର ସମସ୍ତ କାର୍ଯ୍ୟ ସରିବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି ଗସ୍ତ କାର୍ଯ୍ୟକ୍ରମରେ ସିିଡିଏ ଅଧ୍ୟକ୍ଷ ଶ୍ରୀ ସାମଲ ଓ ଜିଲ୍ଲାପାଳ ଶ୍ରୀ ଚୟନୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
