ଭୁବନେଶ୍ବର ଓ କଟକ ସହରକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି
ଭୁବନେଶ୍ୱର : ଭୁବନେଶ୍ବର ଓ କଟକ ସହରକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ଟ୍ବିନ୍ ସିଟିର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି। ଏଥିଯୋଗୁଁ କଟକ-ଭୁବନେଶ୍ବର ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଶିଶୁ, ବୟସ୍କ, ରୋଗୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପାଣି ପିଇବା ସହ ଅତି ଜରୁରୀ ନ ହେଲେ ଖରାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ଦୁଇଦିନ ଧରି ଦୁଇ ସହରର ତାପମାତ୍ରାରେ ବୃଦ୍ଧି ଘଟିଛି ।
ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୪.୨ଂ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୭୩% ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦିନ ୮ଟା ୩୦ ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୩୬.୪ ଡିଗ୍ରୀ, ହୀରାକୁଦରେ ୩୬ ଡିଗ୍ରୀ ଓ କେନ୍ଦୁଝରରେ ୩୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
