‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି । ଏହା ପ୍ରଳୟର ଦ୍ୱିତୀୟ ସଂସ୍କରଣ ପରୀକ୍ଷଣ ହୋଇଥିବା ବେଳେ ଏହାର ପରିସୀମା ୧୫୦ କି.ମି.ରୁ ୫ଶହ କି.ମି.ପର୍ଯ୍ୟନ୍ତ ରହିଛି । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ସର୍ଟ ରେଞ୍ଜ୍ ବାଲାଷ୍ଟିକ ମିଶାଇଲ ଶ୍ରେଣୀର । ଏହା ରୁଷିଆର ୯କେ୭୨୦ କ୍ଷେପଣାସ୍ତ୍ର ଇସକନ୍ଦର ସହ ତୁଳନା କରାଯାଉଥିବା ବେଳେ ଚାଇନାର ଡଙ୍ଗଫେଙ୍ଗ୧୨ ଠାରୁ ଶକ୍ତିଶାଳୀ ବୋଲି ପ୍ରତିରକ୍ଷା ବୈଜ୍ଞାନିକଙ୍କ ଠାରୁ ପ୍ରକାଶ । ଏହି ମିଶାଇଲ ପୃଥିବୀ ମିଶାଇଲର ନୂତନ ସଂସ୍କରଣ ବୋଲି ଜଣାଯାଇଥିବା ବେଳେ ଏହାର ନିଶାନ ୫ଶହ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ । ୫ଟନ୍ ଓଜନର ଏହି ମିଶାଇଲ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଥିବା ବେଳେ ଏହାର ଇନ୍ଧନ କଠିନ ପର୍ଯ୍ୟାୟର ବୋଲି ଜଣାଯାଇଛି ।
୨୦୧୫ ମସିହାରେ ୩୩୩ କୋଟି ବ୍ୟୟ ଅଟକଳରେ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ହୋଇଥିବା ବେଳେ ଏହା ରୋଡ ଲଂଚରରୁ ନିକ୍ଷେପ କରାଯାଇ ପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ । ୧ ଫୁଟ ୫ ଇଂଚ ବ୍ୟାସାର୍ଦ୍ଧ ବିଶିଷ୍ଟ ପ୍ରଳୟ କ୍ଷେପଣାସ୍ତ୍ର ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖେ । ସିଙ୍ଗଲଷ୍ଟେଜ ବିଶିଷ୍ଟ ଇଞ୍ଜିନ ଏହାକୁ ବହନ କରି ନିକ୍ଷେପ କରିଥିଲା ବେଳେ ଏହାର ଠିକ୍ ଲକ୍ଷ୍ୟସ୍ଥଳକୁ ଠିକ୍ ସମୟରେ ମାଚ ୩ ସ୍ପିଡରେ ଲକ୍ଷ୍ୟ ଭେଦ କରିପାରିଥିଲା । ଏହାର ଗତିକୁ ଫାଇବର ଅପଟିକୋ ଗାଇରୋ ନାଭିଗେସନ ସିଷ୍ଟମ, ଜିପିଏସ ଏବଂ ନାଭିକସେଟଲାଇଟ ଦ୍ୱାରା ଗାଇଡେଡ କରାଯାଇଥିଲା । ଏହାର ପ୍ରଥମ ପରୀକ୍ଷଣ ୨୦୧୧ ମସିହା ଜୁଲାଇ ୨୧ ତାରିଖରେ କରାଯାଇଥିବା ବେଳେ ଏହା ୧୫୦ କି.ମି.କୁ ୨୫୦ ସେକେଣ୍ଡରେ ଲକ୍ଷ୍ୟଭେଦ କରିପାରିଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରଥମ ଉଡ଼ାଣ ପରୀକ୍ଷା ପାଇଁ ଡିଆରଡିଓ ଏବଂ ସହଯୋଗୀ ଦଳମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦ୍ରୁତ ବିକାଶ ଏବଂ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆଧୁନିକ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପାଇଁ ସେ ଡିଆରଡିଓକୁ ପ୍ରଶଂସା କରିଥିଲେ । ପ୍ରତିରକ୍ଷା ବିଭାଗର ଆର ଆଣ୍ଡ ଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଏହି ଦଳକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଏହା ହେଉଛି ଏକ ନୂତନ ପୀଢିର ଭୂପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ଯାହାକି ଆଧୁନିକ ଜ୍ଞାନକୌଶଳରେ ସଜ୍ଜିତ ହୋଇଛି ଏବଂ ଏହି ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସଶସ୍ତ୍ର ବାହିନୀକୁ ଆବଶ୍ୟକ ପ୍ରେରଣା ଯୋଗାଇବ ।
