ବିପଦ ସଂକେତ ଉର୍ଦ୍ଧ୍ୱରେ ସୁବର୍ଣ୍ଣରେଖା : ଖସିଲା ଅତଡା, ନଦୀବନ୍ଧ ପ୍ରତି ବିପଦ
ବାଲେଶ୍ୱର : ଗତ କିଛିଦିନ ଧରି ଉତ୍ତର ବାଲେଶ୍ୱର ଓ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ନଦୀର ରାଜଘାଟଠାରେ ଜଳପତ୍ତନ ବୃଦ୍ଧିପାଇବାରେ ଲାଗିଛି । ଲକ୍ଷ୍ମଣନାଥଠାରେ ନଦୀବନ୍ଧର ଏକ ବିରାଟ ଅଂଶ ଅତଡାରେ ଖସି ଯାଇଛି । ସମୁଦ୍ର ଜୁଆରିଆ ରହୁଥିବାରୁ ଜଳ ନିଷ୍କାସନ ହୋଇ ପାରୁନଥିବା କୁହାଯାଇଛି ।
ଉତ୍ତତ୍ତର ବାଲେଶ୍ୱରରେ ଗତ ଲଘୁଚାପ ବେଳେ ୪୪୦ ମିମି ବର୍ଷା ହୋଇଥିବାରୁ ବହୁ ଗ୍ରାମ ପାଣିରେ ବୁଡି ରହିଥିଲା । ଏହି ବର୍ଷାପାଣି ସମତଳ ଅଂଚଳରେ କମୁଥିବା ବେଳେ ସୁବର୍ଣ୍ଣରେଖା ନଦୀର ବନ୍ୟା ସମତଳ ଅଂଚଳକୁ ପ୍ରବେଶ କରୁଛି । ଚାନ୍ଦିଲି, ଆଦିତ୍ୟପୁର ଓ କରକାଇଠାରେ ୧୩ଟି ଫାଟକ ମୁକୁଳା ଥିବାରୁ ପ୍ରତି ସେକେଣ୍ଡେରେ ଅଢେଇ ଲକ୍ଷ ଘଟଫୁଟ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି । ଜଳେଶ୍ୱର ଅଂଚଳରେ ଥିବା ୧୪ଟି ଖାଳ ମୁହଁରେ ସ୍ଲୁଇସ୍ ଗେଟ୍ ନ ଥିବାରୁ ବନ୍ୟାପାଣି ନଦୀରୁ ଖାଳ ଜରିଆରେ ସମତଳ ଅଂଚଳକୁ ପ୍ରବେଶ କରୁଛି । ଫଳରେ ବାଇଗଣବାଡିଆ, ଝାଡପିମ୍ପଳ, ପଶ୍ଚିମବାର୍ଡ, ରାୟାଁରାମଚନ୍ଦ୍ରପୁର, ପାଇକସୀଦା, ଗଡସାହିବାଲିଆପାଳ, ଖାଲିନା, ନାମ୍ପୋ, ସମ୍ପତ୍ତିଆ, ନେତୁଆ, ଗୋବରଘଟା, ଶ୍ରୀରାମପୁର ଓ ଦକ୍ଷିଣ ପ୍ରହରାଜପୁର ପଂଚାୟତରେ ବନ୍ୟାପାଣିର ଜଳସ୍ତର ବଢିବାରେ ଲାଗିଛି ।
ଆଜି ଶୁକ୍ରବାର ମଧ୍ୟାହ୍ନରେ ନଦୀବନ୍ଧର ଲକ୍ଷ୍ମଣନାଥ ଠାରେ ୪୦ମିଟର ଲମ୍ବର ଏକ ଅତଡା ଖସିବାଫଳରେ ସେଠାରେ ବନ୍ଧ ଭାଂଗିଯିବା ଆଶଙ୍କା ରହିଛି । ସେହିପରି କଣ୍ଟାପାଳ ଠାରେ ଠିକାଦାର ସ୍ପର ପାଇଁ ନଦୀବନ୍ଧ କାଟି ପଥର ନେଉଥିବାଲେ ହେଁ ତାହାମରାମତି ହୋଇନାହିଁ । ବିଭିନ୍ନ ସ୍ଥାନରେ ଚୋରା ବାଲିମାଫିଆମାନେ ନଦୀବନ୍ଧକାଟି ରାସ୍ତା ନିର୍ମାଣ ହୋଇଥିବାରୁ ସେ ସବୁସ୍ଥାନରେ ବୁଡିଯିବାର ସମ୍ଭାବନା ଦେଖା ଦେଇଛି । ଉଲୁଡା ନିକଟରେ ଖାଳଯୋଡିର ସ୍ଲୁଇସ୍ ଖୋଲାଯାଇ ପାରୁନଥିବାରୁ ଜଳେଶ୍ୱର ଓ ଭୋଗରାଇ ଅଂଚଳର ଏକ ବିସ୍ତିର୍ଣ୍ଣ ଅଂଚଳର ଜଳ ନିଷ୍କାସନ ହୋଇ ପାରୁନାହିଁ । ଏଥିପ୍ରତି ଜଳସମ୍ପଦ ବିଭାଗର ଉଦାସୀନତାକୁ ଦାୟୀ କରାଯାଇଛି । ସୁବର୍ଣ୍ଣରେଖାର ରାଜଘାଟଠାରେ ୧୦.୩୬ ମିଟର ଥିବା ବେଳେ ଏବେ ୧୦.୬୬ ମିଟରରେ ପ୍ରବାହିତ ହେଉଛି । ଏହା ଆସନ୍ତା ଶନିବାର ୧୧.୫୦ରେ ପହଞ୍ଚିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
