୪ ବର୍ଷିଆ ଗ୍ରାଜୁଏସନ ପରେ ପିଏଚଡି କରିପାରିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ବ୍ରିଟିଶ କାଳର ଶିକ୍ଷା ନୀତିକୁ ବଦଳାଇ ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଓ ସରଳ ରାସ୍ତା ପ୍ରସ୍ତୁତ କରିଛନ୍ତି । ନୂଆ ଶିକ୍ଷା ନୀତି ୨୦୨୦ ଲାଗୁ ହେବାସହ ପିଏଚଡି ସ୍ୱପ୍ନ ଦେଖୁଥିବା ଗ୍ରାଜୁଏଟସଙ୍କୁ ମାଷ୍ଟର୍ସ କର୍ସ କରିବାକୁ ନେଇ ଆଉ ଚିନ୍ତା କରିବାକୁ ପଡ଼ିବନି । ଯେଉଁ ଛାତ୍ର ୪ ବର୍ଷିଆ ଗ୍ରାଜୁଏସନ କୋର୍ସ କରିବ ସେ ସିଧାସଳଖ ପିଏଚଡି କରିପାରିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଜଗଦୀଶ କୁମାର ସୂଚନା ପ୍ରଦାନ କରିଛନ୍ତି ।
ୟୁଜିସି ଅଧ୍ୟକ୍ଷ କହିଛନ୍ତି ଯେ, ୩ ବର୍ଷିଆ ଗ୍ରାଜୁଏସନ କୋର୍ସକୁ ‘୪ ବର୍ଷିଆ କାର୍ଯ୍ୟକ୍ରମ’ ଅନୁସାରେ ସମ୍ପୂର୍ଣ୍ଣ ରୂପେ ଲାଗୁ କରିବା ପର୍ଯ୍ୟନ୍ତ ବନ୍ଦ କରାଯିବନି । ୟୁଜିସି ଦୀର୍ଘ ଦିନରୁ ଅଣ୍ଡର ଗ୍ରାଜୁଏଟ ପ୍ରୋଗ୍ରାମ ପାଇଁ ନୂଆ କରିକୁଲମ ଓ କ୍ରେଡିଟ ଫ୍ରେମୱାର୍କ ଲାଗୁ କରିବାରେ ଲାଗି ପଡ଼ିଥିଲା । ୟୁଜିସି ପକ୍ଷରୁ ଜାରି କରାଯାଇଥିବା ନୂଆ କରିକୁଲମ ଏନଇପି ୨୦୨୦ ଉପରେ ଆଧାରିତ ।
