ପେଟାନାଳ ମଙ୍ଗଳାବସ୍ତି ଉଚ୍ଛେଦ ବନ୍ଦ କର- ବସ୍ତିବାସିନ୍ଦା ମିଳିତ ମଞ୍ଚ
କଟକ : ମହାନଗର ନିଗମ ଆଇନ(୨୦୧୭) ଅନୁଯାୟୀ ପେଟାନାଳ ମଙ୍ଗଳା ବସ୍ତି ଥଇଥାନ ନକଲେ ଉଚ୍ଛେଦ ବନ୍ଦ କରିବାପାଇଁ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ କଟକ ମହାନଗର ନିଗମ ଅଫିସ ସମ୍ମୁଖରେ ବସ୍ତିବାସିନ୍ଦାମାନଙ୍କର ବିକ୍ଷୋଭ କରାଯାଇଛି । ମହାନଗର ନିଗମ ଅଧିନସ୍ଥ ପେଟାନାଳ ମଙ୍ଗଳା ବସ୍ତିକୁ ଆଇନ ଅନୁମୋଦିତ ଥଇଥାନ ନକରି ଉଚ୍ଛେଦ ବନ୍ଦ କରିବା, ୨୦୧୭ ମହାନଗର ନିଗମ ଆଇନ ଅନୁଯାୟୀ ଥଇଥାନ କରିବ, ଉକ୍ତ ଅଞ୍ଚଳ ସେମାନଙ୍କର କର୍ମସ୍ଥଳ ଦେଇଥିବାରୁ ସେମାନଙ୍କୁ କର୍ମଚ୍ୟୁତ ନକରିବା ପାଇଁ କର୍ମସ୍ଥଳରେ ଥଇଥାନ କରିବା, ସେମାନଙ୍କର ପିଲା ସ୍ଥାନୀୟ ସ୍କୁଲମାନଙ୍କରେ ପଡୁଥିବାରୁ ପିଲାମାନଙ୍କର ପାଠ ପଢା ବ୍ୟାଘାତ ନକରିବା, ବସ୍ତି ବାସିନ୍ଦାଙ୍କୁ ଥଇଥାନ କରି ପଟ୍ଟା ପ୍ରଦାନ କରିବା ଓ ବସ୍ତି ବାସିନ୍ଦାମାନଙ୍କର ମୌଳିକ ଓ ସାମ୍ବିଧାନିକ ଅଧିକାର ସୁରକ୍ଷିତ କରିବା ପ୍ରମୁଖ ଦାବି କରି ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ମହାନଗର ନିଗମ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ବସ୍ତିବାସିନ୍ଦାଙ୍କ ମିଳିତ ମଂଚ ଆବାହକ ଖଗେଶ୍ୱର ସେଠୀ, ସାମ୍ୟବାଦୀ ନେତା ବିଶ୍ୱାବସୁ ଦାସ, ଶ୍ରମିକ ନେତା ରାଜକିଶୋର ମିଲ୍ଲିକ, ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ପ୍ରମୁଖ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା, ଏହି ମର୍ମରେ ଏକ ସ୍ମାରକ ପତ୍ର ମେୟରଙ୍କୁ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ସିଡିଏ ପାଶ୍ୱର୍ରେ ଥିବା ପ୍ରାୟ ୩୦ବର୍ଷର ପୁୁରୁଣା ପେଟାନାଳ ମଙ୍ଗଳା ବସ୍ତି ମହାନଗର ନିଗମ ଅଂଚଳରେ ରହିଛି । ଏହି ବସ୍ତିର ବାସିନ୍ଦାମାନେ ମୁଲ-ମଜୁରୀ ଲାଗି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଥାନ୍ତି । ସେମାନଙ୍କର ପିଲା ସ୍ଥାନୀୟ ସରକାରୀ ସ୍କୁଲମାନଙ୍କରେ ପାଠ ପଢୁଛନ୍ତି । ନିକଟର ମହାନଗର ନିଗମ କର୍ମଚାରୀମାନେ ଆସି ଉକ୍ତ ବସ୍ତିରେ ବୁଲି ଘର ତାଲିକା କରିଛନ୍ତି । ଯେଉଁ ଲୋକମାନେ ସେହି ସମୟରେ ଘରେ ଉପସ୍ଥିତ ନଥିଲେ ସେମାନଙ୍କ ପରିବାର ତାଲିକାରୁ ବାଦ ପଡିଛନ୍ତି । ବସ୍ତିରେ ୮୩ ପରିବାର ରହୁଥିବା ସ୍ଥଳେ ତାଲିକାରୁ ଅନେକ ପରିବାର ବାଦ ପଡିଛନ୍ତି । ବସ୍ତି ବାସିନ୍ଦାମାନେ ସିଏମ୍ସି କର୍ମଚାରୀଙ୍କୁ ତାଲିକା କରିବାର ଉଦ୍ଦେଶ୍ୟ ପଚାରିବାକୁ ସେମାନେ କହିଥିଲେ ପେଟାନାଳ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ବସ୍ତି ଆଗାମୀ ୧୫ ଦିନ ମଧ୍ୟରେ ଉଚ୍ଛେଦ ହେବ । ଏହି ଖବର ପାଇବା ପରେ ଭୟଭୀତ ହେବା ସହ କର୍ମଚ୍ୟୁତ ହେବର ଆଶଙ୍କା ମଧ୍ୟରେ ବସ୍ତିବାସିନ୍ଦାମାନେ ଅଛନ୍ତି ।
