ଏସ୍ଟିଏଫ୍ର ଚଢ଼ାଉ : ଜୀବନ୍ତ ବଜ୍ରକାପ୍ତା ସହ ୩ ଗିରଫ
ଭୁବନେଶ୍ୱର : ପୁଣି ଏସ୍ଟିଏଫ୍କୁ ସଫଳତା। ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲାଣ ସୂଚନା ପାଇବା ପରେ ଭୁବନେଶ୍ୱରର କଳିଙ୍ଗ ଷ୍ଟୁଡିଓ ଛକଠାରେ ଏସ୍ଟିଏଫ୍ ଟିମ୍ର ଚଢ଼ାଉ। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବ ସହ ୩ ଜଣ ବ୍ୟବସାୟୀ ଗିରଫ । ଗିରଫ ୩ ଜଣ ହେଲେ କଟକ ବଡମ୍ବା ଅଞ୍ଚଳର ଚିତ୍ରସେନ ସାହୁ, ଭୁବନେଶ୍ୱର ପାତ୍ରପଡାର ଖଗେଶ୍ୱର ସାହୁ ଓ ଗଞ୍ଜାମ କାଂସମାରୀର ଭାଗିରଥୀ ବେହେରା । ବଜ୍ରକାପ୍ତାକୁ ଉଦ୍ଧାର କରି ଚନ୍ଦକା ଡିଏଫ୍ଓଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ଜଗତ୍ସିଂହପୁରରୁ ଭୁବନେଶ୍ୱର ଅଣା ଯାଉଥିବା ଏହି ବଜ୍ରକାପ୍ତାକୁ ନେଇ ୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ବଜ୍ରକାପ୍ତାକୁ ଏକ ଅଟୋ ଯୋଗେ ଅଣା ଯାଉଥିଲା ବୋଲି ସୂଚନା ରହିଛି। ସୂଚନା ଯେ, ଗତ ଏକ ବର୍ଷ ମଧ୍ୟରେଏସ୍ଟିଏଫ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଏ ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା, ୧୩ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ଏହାସହ ଏଥିରେ ସମ୍ପୃକ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


