ସହକାରୀ ଶିକ୍ଷକ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କର ବିଦ୍ୟାଳୟ ସମ୍ମୁଖରେ ଧାରଣା
ଯାଜପୁର : ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତର ଚମ୍ପେଇପାଳ ୟୁଜିଏମ୍ଇ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରବିର କୁମାର ନାୟକଙ୍କ ବଦଳି ଅନ୍ୟତ୍ର ବିଦ୍ୟାଳୟ ହୋଇଛି । ଏହି ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଭ୍ୟମାନେ ବିଦ୍ୟାଳୟର ସମ୍ମୁଖରେ ଧାରଣା ଦେବା ସହ ତାଲା ବନ୍ଦ ଆନ୍ଦୋଳନ ଶାନ୍ତୁପୂର୍ଣ୍ଣ ଭାବେ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ମାସ ୧୦ ତାରିଖରେ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରବିର କୁମାର ନାୟକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ । ଏହି ବଦଳି ଆଦେଶର ସମସ୍ୟାର ସମାଧାନ କରାଯିବ ବୋଲି ବ୍ଲକର ସହକାରୀ ଶିକ୍ଷାଧିକାରୀ ସାବିତ୍ରୀ ସେଠୀ ପ୍ରତିଶ୍ରୁତି ଦେବା ପରେ ତାଲା ବନ୍ଦ ଆନ୍ଦୋଳନରୁ ନିବୃତ ରହିଥିଲେ । ପ୍ରତିଶ୍ରୁତି ଦେବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ନହେବାରୁ ଚଳିତ ମାସ ୨୦ ତାରିଖରେ ଗ୍ରାମବାସୀ, ଅଭିଭାବକ ଓ ବିଦ୍ୟାଳୟ କମିଟିର ସଭ୍ୟମାନେ ଏକ ବୈଠକରେ ନିଷ୍ପତ୍ତି ନେଇ ଆଗାମୀ ୨୭ ତାରିଖ ରୁ ପୁନର୍ବାର ତାଲାବନ୍ଦ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଏହି ନିଷ୍ପତ୍ତି ଜଣାଇଥିଲେ ମଧ୍ୟ ବ୍ଳକ ଶିକ୍ଷାଧିକାରୀ ବଦଳି ଆଦେଶ ପ୍ରତ୍ୟାହାରର କୌଣସି ସ୍ଥାୟି ସମସ୍ୟାର ସମାଧାନ ନକରିବାରୁ ପୁନର୍ବାର ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ କମିଟି ପରିଚାଳନା କମିଟିର ସଭ୍ୟମାନେ ତାଲା ବନ୍ଦ ଆନ୍ଦୋଳନ କରିଥିଲେ । ଯଦି ଏହି ତାଲା ବନ୍ଦ ଆନ୍ଦୋଳନ ରେ ବ୍ଲକ ପ୍ରଶାସନ, ବ୍ଳକ ଶିକ୍ଷାଧିକାରୀ କୌଣସି ସ୍ଥାୟି ସମାଧାନ ସୂତ୍ର ନ ବାହାର କରନ୍ତି ଆଗାମୀ ମାର୍ଚ୍ଚ ୩ ତାରିଖରେ ଛାତ୍ରଛାତ୍ରୀ, ଅଭିଭବାକ ଓ କରିଚାଳନା କମିଟିର ସଭ୍ୟମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନି ଦେଇଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସବୁଦାୟ ୧୪୭ ଜଣ ପିଲା ଅଧ୍ୟୟନରତ । ପିଲାଙ୍କ ଅଧ୍ୟୟନ ପାଇଁ ୬ ଗୋଟି ଶିକ୍ଷକର ଆବଶ୍ୟକତା ଥିବା ବେଳେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଏହି ୪ଜଣ ମଧ୍ୟରୁ ସହକାରୀ ଶିକ୍ଷକ ବଦଳି ଆଦେଶ ଅନ୍ୟତ୍ର ହୋଇଯାଇଥିବାରୁ ୩ ଜଣ ଶିକ୍ଷକରେ କିଭଳି ବିଦ୍ୟାଳୟରେ ପାଠ ପଢ଼ାଯିବ ସେ ନେଇ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଛାତ୍ରଛାତ୍ରୀ, ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ସହକାରୀ ଶିକ୍ଷକ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଆନ୍ଦୋଳ ଜାରି ରଖିଛନ୍ତି ।
