ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ୍ ଆରମ୍ଭ
ଭୁବନେଶ୍ବର : ପାରାଅଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ, ଭାରତୀୟ ବ୍ୟାଡମିଣ୍ଟନ୍ ସଂଘ ଆନୁକୂଲ୍ୟରେ ଓଡ଼ିଶା ପାରାଅଲିମ୍ପିକ୍ ସଂଘ ପକ୍ଷରୁ ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ସ୍ଥାନୀୟ ରେଳବାଇ ଇନ୍ଡୋର୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି। ୩ ଦିନିଆ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ କେସି ମେମୋରିଆଲ୍ ଟ୍ରଷ୍ଟ୍ ଓ ଉଡ଼ାନ୍ ବ୍ୟାଡମିଣ୍ଟନ୍ ଏକାଡେମି ମଧ୍ୟ ସହଯୋଗ କରୁଛନ୍ତି।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରି କହିଥିଲେ ‘ଟୋକିଓ ପାରାଲିମ୍ପିକ୍ସରେ ଆମ ଖେଳାଳିମାନେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଆମେ ସମସ୍ତଙ୍କ ପାଇଁ ଗର୍ବିତ’। ପିସିଆଇ ସଭାପତି ପଦ୍ମଶ୍ରୀ ଦୀପା ମଲ୍ଲିକ କହିଥିଲେ, ଓଡ଼ିଶା ଏବେ ବିଭିନ୍ନ କ୍ରୀଡ଼ାକୁ ଦେଉଥିବା ସମର୍ଥନ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଏହି ଅବସରରେ ସେ ଓଡ଼ିଶା ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ପାରା ଅଲିମ୍ପିକ୍ ସଂଘକୁ ପ୍ରଶଂସା କରିଥିଲେ। ଓଡ଼ିଶା ସଂଘ ସଭାପତି କମଳାକାନ୍ତ ରଥ ଏବଂ ଉଡ଼ାନ ଏକାଡେମି ଅଧ୍ୟକ୍ଷ ଅଶୋକ ମିଶ୍ର ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ।
