ଶ୍ରୀମନ୍ଦିରରେ କାର୍ତିକ ନୀତି ଆରମ୍ଭ ରାଧା ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ କାର୍ତିକ ନୀତି ଆରମ୍ଭ ହୋଇଛି । ସକାଳୁ ବାଳଧୂପ ହେବା ସହ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଛି । ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ବେଶ ଅନୁଷ୍ଠିତ ହେବ । ପଞ୍ଛୁକ ପାଞ୍ଛ ଦିନ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ । କାର୍ତିକ ମାସରେ ବିଷ୍ଣୁଙ୍କ ନାମ ଦାମୋଦର । ଆଳତି ଅବକାଶ ପରେ ଏହି ବେଶ ହୋଇ ବାଳଧୂପ ପର୍ଯ୍ୟନ୍ତ ରହିବ । ଦ୍ୱାପର ଯୁଗରେ ଗୋପୀମାନେ କାର୍ତିକ ବ୍ରତ ପାଳନ କରି ଯମୁନା କୂଳରେ ରାଧା ଦାମୋଦରଙ୍କୁ ପୂଜା କରୁଥିଲେ । ରାଧା ଦାମୋଦର ବେଶରେ ମହାପ୍ରଭୁଙ୍କୁ କେତେକ ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ସେଥିମଧ୍ୟରୁ ସୁବର୍ଣ୍ଣ ଘାଗଡ଼ାମାଳ ,ଚନ୍ଦ୍ର,ସୂର୍ଯ୍ୟ, ଚନ୍ଦ୍ରିକା ତ୍ରିମୁଣ୍ଡି, ତିଳକ,ନଳୀ ଭୂଜ, କୁଣ୍ଡଳ ଓ ତଡ଼ଗୀ ଏହାସହ ଫୁଲରେ ନିର୍ମିତ ଗୁଣା,ଚିତା ଓ ଅଧରମାଳା ଲାଗି ହୋଇଥାଏ । ଚୂଳରେ ବାଉଁଶ ପାତିଆ କନାରେ ନିର୍ମିତ ତ୍ରିମୁଣ୍ଡି ଲାଗି ହୋଇଥାଏ । ଚୂଳ ଉପରେ ଚନ୍ଦ୍ରିକା ଶୋଭା ପାଏ । ଏହାପରେ ବାଳଭୋଗ ଅନୁଷ୍ଠିତ ହୁଏ । ବାଳ ଭୋଗରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ,ଚାଉଳିଆ,ସେଉ,କମଳା ,କଦଳୀ,କାକୁଡ଼ି,ପଇଡ଼ ଆଦି ଲାଗି ହୁଏ । ବଡ଼ଛତା ମଠ ପକ୍ଷରୁ ସଙ୍ଗୀତ ଓ ରାଧାକାନ୍ତ ମଠ ପକ୍ଷରୁ ସଂର୍କୀତନ କରାଯାଇଥାଏ । ଅକ୍ଟୋବର ୩୧ ସୋମବାର ଅବକାଶ ପରେ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନ।।ରାୟଣ ବେଶ ଓ ହରି ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ନଭେମ୍ବର ୫ରେ ବାଙ୍କଚୂଡ଼ ବା ବାମନ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ୬ ତାରିଖରେ ଡ଼ାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀ ନୃସିଂହ ବେଶ ,୮ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଏଥପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଂଟ କରାଯାଇଛି । ଆଜି ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ବାଳଧୂପ ନୀତି ଅନୁଷ୍ଠିତ ହେବ । ଭୋର ୪ଟାରୁ ଦ୍ୱାରଫିଟା ,୪ଟା ୩୦ରେ ଭିତରଶୋଧ, ୫ଟାରେ ମଙ୍ଗଳଆଳତି, ୫ଟା ୩୦ରେ ମଇଲମ ଓ ତଡ଼ପଲାଗି, ୬ଟା୧୫ରେ ଅବକାଶ ଓ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ ରାଧା ଦାମୋଦର ବେଶ ଅନୁଷ୍ଠିତ ହେବ ।
