ସବରେଜିଷ୍ଟାର ଅଫିସ ନିକଟରେ ଦଲାଲ ସକ୍ରିୟ
ପୁରୀ : ଗତ କିଛିଦିନ ହେଲାଣି ପୁରୀ ଜିଲ୍ଲା ସବରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ କେତେକ ଦଲାଲ ସକ୍ରିୟ ହୋଇ କ୍ରେତା ବିକ୍ରେତାଙ୍କୁ ପ୍ରଭାବିତ କରି ଲକ୍ଷ ଲକ୍ଷ ଟଙ୍କା ମୁନାଫା ନେଉଥିବା ଅଭିଯୋଗ ହେଉଛି । ଜମି କିଣା ବିକାରେ ପିସି ନେବା ସହ କେତେକ କର୍ମଚାରୀଙ୍କୁ ହାତ କରି ଦଲିଲ୍ ହସ୍ତଗତ କରୁଥିବା ଦେଖିବାକୁ ମିଳୁଛି । ଏପରିକି କେତେକ କର୍ମଚାରୀ ଓକିଲ,ମୋହରିରଙ୍କ ଜରିଆରେ ଜମି ରେଜେଷ୍ଟି ନକରି ସିଧାସଳଖ ଜମି ରେଜିଷ୍ଟି କରି ହାତ ଚିକ୍କଣ କରୁଥିବା ଅଭିଯୋଗ ହେଉଛି । କେତେକ ବିଲଡ଼ର ଅଫିସରେ ପାଣି ପିଇବା ପାଇଁ ୧୨ ଲକ୍ଷ ଟଙ୍କାର ମେସିନ ଦାନ କରୁଥିବା ଅଭିଯୋଗ ହେଉଛି । ବିଲଡ଼ରମାନେ କର୍ମଚାରୀଙ୍କୁ ହାତବାରିସ କରି କୋଟି କୋଟି ଟଙ୍କା ମୁନାଫା ନେଉଥିବା ବେଳେ କ୍ରେତା ଅଧିକ ଖର୍ଚ୍ଚାନ୍ତ ହେଉଥିବା ଆଲୋଚନା ହେଉଛି । କେତେକ ମୌଜାରେ ଜମି ବିକ୍ରି ପାଇଁ ଲକ୍ ପଡ଼ିଥିବା ବେଳେ ସାଙ୍ଗେ ସାଙ୍ଗେ ଲକ୍ ଖୋଲି ରେଜେଷ୍ଟି କରିବା ପରେ ଲକ୍ ପଡ଼ିଯାଉଥିବା କେତେକ ଆଇନଜୀବୀ ଆଲେଚନା କରୁଛନ୍ତି । କାର୍ଯ୍ୟରତ କର୍ମଚାରୀମାନେ ଲକ୍ଷାଧିକ ଟଙ୍କାର ଗାଡ଼ି ଚାଲଉଥିବା ବେଳେ ଅନେକ ଜାଗାବାଡ଼ି ସଂପର୍କୀୟଙ୍କ ନାମରେ କିଣୁଥିବା ବେଳେ ଏ ସଂପର୍କରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ ହେଲେ ଅନେକ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି କଚେରି ଛକରେ ଆଲେଚନା ହେଉଛି ।
