ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସହ ଯୋଡ଼ି ହେଲା ଏସ୍ପିପିଏଲ; ୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍ ବଣ୍ଟନ
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) । ବାଲେଶ୍ୱର ଜିଲା ମାଜିଷ୍ଟ୍ରେଟ୍ ଓ ଜିଲାପାଳ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ବାଲେଶ୍ୱରର ମୁଖ୍ୟ ଜିଲା ମେଡିକାଲ ଅଧିକାରୀ ଡ. ଦୁଲାଲସେନ ଜଗଦ୍ଦେବ “ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିଛନ୍ତି । ଏହା ନିଜର କୋର୍ସକୁ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରଖିବ ।
୨୦୨୫ ସୁଦ୍ଧା ଯକ୍ଷ୍ମା ଦୂରୀକରଣ ଲକ୍ଷ୍ୟ ହାସଲ କରିବା ସହ ଗୋଷ୍ଠୀ ସହଯୋଗିତାକୁ ବଢ଼ାଇବା ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ (ଏମ୍ଓଏଚ୍ଏଫ୍ଡବ୍ଲୁ) ପକ୍ଷରୁ “ଯକ୍ଷ୍ମା ରୋଗୀଙ୍କୁ ଗୋଷ୍ଠୀ ସହାୟତା-ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତର ଶୁଭାରମ୍ଭ କରାଯାଇଥିଲା । ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇ, ବିଭିନ୍ନ ବ୍ଲକ୍ରେ ଯକ୍ଷ୍ମା ମାମଲାକୁ ଚିହ୍ନଟ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହ ମିଶି ଏସ୍ପିପିଏଲ୍ ପକ୍ଷରୁ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ ପୋର୍ଟାଲ୍ରେ ପଞ୍ଜିକରଣ କରିଛି । ଏହି ଅଭିଯାନରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ପ୍ରତି ମାସରେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଏକ ନ୍ୟୁଟ୍ରିସନାଲ କିଟ୍ ଜରିଆରେ ପୁଷ୍ଟି ସହାୟତା ପ୍ରଦାନ କରାଯାଉଛି । ପ୍ରଥମ ପଦକ୍ଷେପ ଗ୍ରହଣ କରି ବାଲେଶ୍ୱରର ତିନି ବ୍ଲକ୍ ଯଥା ବସ୍ତା, ବାଲିଆପାଳ ଓ ରେମୁଣାର ଯଥାକ୍ରମେ ୯୮, ୫୬ ଓ ୨୧୭ ଜଣ ସମେତ ମୋଟ୍ ୩୭୧ ଜଣ ହିତାଧିକାରୀଙ୍କୁ ଅତିଥିମାନେ ନ୍ୟୁଟ୍ରିସନାଲ୍ କିଟ୍ ବଣ୍ଟନ କରିଛନ୍ତି ।
ଏହି ଅବସରରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଜରୁରୀ ସହାୟତା ସନ୍ଧାନ କରୁଥିବା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଏସ୍ପିପିଏଲ୍ର ବରିଷ୍ଠ ଡିଭିଜନାଲ୍ ମ୍ୟାନେଜର ପ୍ରମୋଦ କୁମାର, ଉପ ମୁଖ୍ୟ ଜିଲା ମେଡିକାଲ୍ ଅଧିକାରୀ ଡ. ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
