ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ଏବଂ ରାଜ୍ୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ କେନ୍ଦ୍ର ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ରର ମିଳିତ ସହଯୋଗରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀମାନଙ୍କର ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହ ଜାତୀୟ ସେବା ଯୋଜନା ମାଧ୍ୟମରେ ଉଭୟ ସ୍ୱେଚ୍ଛାସେବୀ ଓ ସମାଜର ବିକାଶ ସାଧନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଷ ଚନ୍ଦ୍ର ଅଧିକାରୀ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର, ପ୍ରୋଗ୍ରାମ କୋର୍ଡିନେଟର ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ଓ ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗଦେଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମର ମହତ୍ତ୍ୱ ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରୋଗ୍ରାମ ଅଫିସର ଡ. ପ୍ରତିମା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବାଲେଶ୍ୱର ଓ ଭଦ୍ରକ ଜିଲାରୁ ୪୦ ଜଣ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କାର୍ଯ୍ୟକ୍ରମ ସଂଯୋଜକ ସୂଚନା ପ୍ରଦାନ କରିଛନ୍ତି । ତାଲିମ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀମାନଙ୍କୁ ଜାତୀୟ ସେବା ଯୋଜନା ସମ୍ପର୍କିତ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯିବ । ପ୍ରୋଗ୍ରାମ ଅଫିସର ଡ. ଜଗନ୍ନାଥ ବେହେରା, ପ୍ରଦୀପ କୁମାର ଦାସ ଓ ତାପସ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
