ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି କରୋନା ପଜିଟିଭ, ମେଡିକାଲରେ ଭର୍ତ୍ତି
କୋଲକାତା : ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସୋମବାର କୋଭିଡ୍ ଟେଷ୍ଟ କରାଇଥିଲେ ଗାଙ୍ଗୁଲି । ଏହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏହାପରେ ଗାଙ୍ଗୁଲିଙ୍କୁ କୋଲକାତା ସ୍ଥିତି ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଚେକ୍ ଅପ୍ କରୁଛନ୍ତି ଡାକ୍ତର । ଏବେ ତାଙ୍କର ନମୁନାକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ସୂଚନା ମିଳିଛି । ସେ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଛନ୍ତି । ସେହିପରି ବର୍ତ୍ତମାନ ଦେଶରେ ଓମିକ୍ରନ ମାମଲା ବଢୁଥିବାରୁ ଗାଙ୍ଗୁଲିଙ୍କ ସାମ୍ପୂଲ ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି । ସେପଟେ ଗାଙ୍ଗୁଲି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିବା ପରେ ତାଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନା ଯେ, ୨୦୨୧ ଜାନୁୟାରୀରେ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଯେଉଁ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି ହେବାକୁ ପଡିଥିଲା । କୋଲକାତାର ଆପୋଲୋ ଗ୍ଳେନେଗ୍ଳେସ ହସ୍ପିଟାଲରେ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । କିଛି ଦିନ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
