ଖୁବଶୀଘ୍ର ରେଳଯାତ୍ରୀଙ୍କ ପାଇଁ ଚାଲିବ ୧୦୦ଟି ଟ୍ରେନ୍
ନୂଆଦିଲ୍ଲୀ : ଦେଶରେ ସ୍ୱାଭାବିକ ଆଡକୁ ଗତି କରୁଛି କରୋନା ସଂକ୍ରମଣ ସ୍ଥିତି । ଏହାରି ମଧ୍ୟରେ ଭାରତୀୟ ରେଳ ପୁଣି ଥରେ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଚିନ୍ତା କରୁଛି । ରେଲଓ୍ୱେ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ସୁନୀତ ଶର୍ମା କହିଛନ୍ତି ଯେ କରୋନା ସମୟରେ ମଧ୍ୟ ଦେଶରେ ୮୮୯ ଟ୍ରେନ୍ ଚଳାଚଳ କରୁଥିଲା ।
ସୂଚନା ଯେ, ଆଗକୁ ଆଗାମୀ ୪ରୁ ୫ଦିନ ଦିନ ମଧ୍ୟରେ ୧୦୦ଟି ଟ୍ରେନ୍ ପୁନଃ ଆରମ୍ଭ କରିବାକୁ ବିଚାର ବିମର୍ଶ ଚାଲିଛି । ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ଏବଂ ରାଜ୍ୟଗୁଡିକର ଅନୁମତି ପରେ ଟ୍ରେନ୍ ସେବା ବୃଦ୍ଧି କରାଯିବ। ମେ ଏବଂ ଜୁନ୍ ମାସରେ ଆମେ ଅନେକ ଟ୍ରେନ୍ ଆରମ୍ଭ କରିଛୁ । ଏଥିରେ କେନ୍ଦ୍ରୀୟ ରେଳବାଇରେ ୧୯୭ ଟି ଟ୍ରେନ୍, ପଶ୍ଚିମ ରେଳବାଇରେ ୧୫୪ଟି, ଉତ୍ତର ରେଳବାଇରେ ୩୮ଟି ଟ୍ରେନ୍ ଅନ୍ତର୍ଭୁକ୍ତ । ଏଥିସହ ୨୬ଟି କ୍ଲୋନ ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ଶର୍ମା ଆହୁରି କହିଛନ୍ତି, କରୋନାର ଦ୍ୱିତୀୟ ତରଙ୍ଗ ପୂର୍ବରୁ ଆମେ ଲଗାତାର ଟ୍ରେନ୍ ସେବା ବୃଦ୍ଧି କରୁଥିଲୁ । ମାର୍ଚ୍ଚ-ଏପ୍ରିଲ୍ ସୁଦ୍ଧା ୧,୫୦୦ ଟ୍ରେନ୍ ପହଞ୍ଚି ସାରିଥିଲା । କିନ୍ତୁ କରୋନା ସଂକ୍ରମଣର ବୃଦ୍ଧି ଏବଂ ରାଜ୍ୟଗୁଡ଼ିକର ପ୍ରତିବନ୍ଧକ ଯୋଗୁଁ ଟ୍ରେନଗୁଡିକୁ ହ୍ରାସ କରିବାକୁ ପଡ଼ିଲା । ବର୍ତ୍ତମାନ ଉତ୍ତରପ୍ରଦେଶ ଏବଂ ବିହାର ପାଇଁ ସର୍ବାଧିକ ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଛି । ଆମେ ମଧ୍ୟ କ୍ରମାଗତ ଭାବରେ ଫ୍ଲେକ୍ସି ଭଡା ସହିତ ସ୍ୱଳ୍ପ ଦୂରତା ଟ୍ରେନ୍ ସମୀକ୍ଷା କରୁଛୁ ।
