୨୫କୋଟି ଡୋଜ୍ କୋଭିଶିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ୍ କିଣିବାକୁ ସାନି ଅର୍ଡର
ନୂଆଦିଲ୍ଲୀ : ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି । କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ ଭାରତ ସରକାର ଟିକାକରଣ ନୀତିକୁ ଉଦାରୀକରଣ କରିଥିଲେ । ଏହି ଉଦାର ନୀତି ଅନୁଯାୟୀ, ୧ ମଇ, ୨୦୨୧ ଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା । ଏଥିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ କରାଯାଉଛି । ଏବେ ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ୧୮ ବର୍ଷରୁ ଅଧିକ ଆୟୁର ସମସ୍ତ ନାଗରିକମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଟିକା ଦିଆଯିବ ।
ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତରେ ଘୋଷଣା କରିବାର ତୁରନ୍ତ ପରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ମାର୍ଗଦର୍ଶିକାରେ ଗତକାଲି ପରିବର୍ତନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୫ କୋଟି ଡୋଜ୍ କୋଭିଶିଲ୍ଡ କିଣିବା ଲାଗି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଅର୍ଡର ଦିଆଯାଇଥିବା ବେଳେ ୧୯ କୋଟି ଡୋଜ୍ କୋଭାକ୍ସିନ କ୍ରୟ ନିମନ୍ତେ ଭାରତ ବାୟୋଟେକକୁ ଅର୍ଡର ଦିଆଯାଇଛି । କୋଭିଡ-୧୯ ଟିକାର ଏହି ୪୪ କୋଟି (୨୫+୧୯) ଡୋଜ୍ ଆଜିଠାରୁ ଡିସେମ୍ବର ୨୦୨୧ ମଧ୍ୟରେ ଉପଲବ୍ଧ ହେବ । ଏହାବ୍ୟତୀତ ଦୁଇ କୋଭିଡ ଟିକା କ୍ରୟ ନିମନ୍ତେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକକୁ ୩୦ ପ୍ରତିଶତ ଅଗ୍ରିମ ରାଶି ଜାରି କରାଯାଇଛି ।
