ଆର୍ଥରାଇଟ୍ସ ଚିକିତ୍ସାରେ ବାଧକ ଧୂମପାନ
ଆଣ୍ଠୁଗଣ୍ଠି ଜନିତ ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଔଷଧ ଏବଂ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତିର ଉପଯୋଗ ପରେ ବି ଅନେକାଂଶରେ ଏଥିରେ ସୁଧାର ଆସୁନଥିବା ଚିନ୍ତାର ବିଷୟ ପାଲଟିଛି । ଏହା ପଛରେ ମୁଖ୍ୟ କାରଣ ମହିଳାଙ୍କଠାରେ ମେଦବୃଦ୍ଧି ଏବଂ ପୁରୁଷଙ୍କଠାରେ ଧୂମପାନ ଅଭ୍ୟାସ ।
ମହିଳାଙ୍କ ମଧ୍ୟରେ ମୋଟାପଣ ଏବଂ ପୁରୁଷଙ୍କ କ୍ଷେତ୍ରରେ ଧୂମପାନ ଆର୍ଥରାଇଟ୍ସ ଚିକିତ୍ସାରେ ସୁଧାର ନ ଆସିବାର ପ୍ରମୁଖ କାରଣ । ଗଣ୍ଠି ରୋଗ ବା ଆର୍ଥରାଇଟ୍ସ ଦ୍ୱାରା ବ୍ୟକ୍ତିର ଜଏଂଟ୍ ପ୍ରଭାବିତ ହୋଇଥାଏ । ରୋଗୀକୁ ଏଥିପାଇଁ ପ୍ରବଳ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ିଥାଏ । ଚାଲିବା ବୁଲିବାରେ ରୋଗୀ ଅସମର୍ଥ ପ୍ରକାଶ କରିଥାଏ । ଏହାଛଡ଼ା ଶରୀରର ଭିତର ଅଙ୍ଗପ୍ରତ୍ୟଙ୍ଗ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଗବେଷଣାରୁ ଜଣାପଡ଼ିଛି ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥରାଇଟ୍ସର ଚିହ୍ନଟ କରାଯାଇପାରିଲେ ଏହାର ଚିକିତ୍ସା ସମ୍ଭବ । କିନ୍ତୁ ଦିଶା ନିର୍ଦ୍ଦେଶ ଅନୁସାରେ, ଯତ୍ନବାନ୍ ନ ହେବା ଦ୍ୱାରା ଅଧିକାଂଶ ମହିଳା ଏବଂ ପୁରୁଷଙ୍କଠାରେ ଏହି ରୋଗରେ କୌଣସି ସୁଧାର ଆସିନଥାଏ । କାନାଡ଼ାର ମେକାଗିଲ ବିଶ୍ୱବିଦ୍ୟାଳୟର ମେଡିସିନ୍ ପ୍ରଫେସର ସୁସାନ ବାର୍ଟଲେଟଙ୍କ ଅନୁସାରେ, ଗବେଷଣାରୁ ଜଣାପଡ଼ିଛି ଜୀବନଶୈଳୀରେ ପରିବର୍ତନ, ପୁରୁଷଙ୍କଠାରେ ଧୂମପାନ ଅଭ୍ୟାସ ବୃଦ୍ଧି ଏବଂ ମହିଳାଙ୍କଠାରେ ମୋଟାପଣର ଶିକାର ଏହା ପଛର ମୁଖ୍ୟ କାରଣ । ଯଦ୍ଦ୍ୱର୍ାରା ଆର୍ଥରାଇଟ୍ସ ରୋଗର ଯଥାସମ୍ଭବ ଚିକିତ୍ସା ପରେ ବି ତାହା ଫେଲ୍
ମାରିଥାଏ ।
ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳିଥାଏ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଯଥାଶୀଘ୍ର ରକ୍ଷାପାଇବାକୁ ଅନ୍ୟ କୌଣସି ସମାଧାନ ରାସ୍ତା ନଖୋଜି ‘ନି ଟ୍ରାନ୍ସପ୍ଲାଂଟ’ କରିଥାନ୍ତି । ସେମାନଙ୍କ ମନରେ ଧାରଣା ଆସିଯାଇଥାଏ, ଏହା ସହଜ ଏବଂ ଶେଷ ଉପାୟ । କିନ୍ତୁ ବାସ୍ତବରେ ୯୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଆଣ୍ଠୁ ପ୍ରତିରୋପଣର କୌଣସି ଆବଶ୍ୟକତା ନଥାଏ । କାରଣ ସେମାନେ ନିଜେ ହିଁ ନିଜ ରୋଗ ବୃଦ୍ଧିର କାରଣ ସାଜିଥାନ୍ତି । ଯଦି ନିଶାଦ୍ରବ୍ୟ ସେବନଠାରୁ ଦୂରରେ ରହିବା ସହ ପ୍ରତିଦିନ ଯୋଗ ଏବଂ ବ୍ୟାୟାମ୍ ଦ୍ୱାରା ଓଜନ ହ୍ରାସ କରାଯାଏ, ତେବେ ଏଭଳି ଦୂରାରୋଗ୍ୟ ରୋଗରୁ ମୁକ୍ତି ପାଇବା ସମ୍ଭବପର ହୋଇପାରିବ ।
